ସହି ପାରିଲେନି ମୁଲାୟମ ସିଂହଙ୍କ ଦେହାନ୍ତ ଦୁଃଖ, ନଦୀକୁ ଡେ଼ଇଁ ଆତ୍ମହତ୍ୟା କଲେ ସମର୍ଥକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ ହୋଇଛି । ଏହାପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତେବେ ଏହି ଦୁଃଖ ନସହିପାରି ତାଙ୍କର ଜଣେ ସମର୍ଥକ ବୁଧବାର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ନଦୀକୁ ଡେଇଁ ମୁଲାୟମ ସିଂହଙ୍କ ସମର୍ଥକଙ୍କ ଆତ୍ମହତ୍ୟା । ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୁଲାୟମ ସିଂହଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅବସାଦରେ ରହିଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୦ ତାରିଖରେ ମୁଲାୟମ ସିଂହ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଏହାପରେ କାନପୁର ବର୍‌ରାସ୍ଥି ମର୍ଦ୍ଦନପୁରର ରାଜେଶ କୁମାର ନାମକ ବ୍ୟକ୍ତିଙ୍କ ଉପରେ ଯେଭଳି ଦୁଃଖର ପାହାଡ଼ ଭାଙ୍ଗି ଯାଇଥିଲା । ରାଜେଶଙ୍କ ପରିବାରରେ ପତ୍ନୀ ଓ ୪ ଝିଅ ରହିଛନ୍ତି । ସେ ଇସ୍ପାତ ନଗରୀରେ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ଗତ ମଙ୍ଗଳବାର ସେ ଘରକୁ ଆସିଥିବା ବେଳେ କେହି ଜଣେ ତାଙ୍କୁ ସୂଚନା ଦେଇଥିଲେ ଯେ, ମୂଲାୟମ ସିଂହଙ୍କ ପରଲୋକ ହୋଇଛି । ଏହାପରେ ତାଙ୍କ ସମର୍ଥକ ଜଣକ ବିଳାପ କରି କାନ୍ଦିବାକୁ ଲାଗିଲେ । “ନେତାଜୀ ରହିଲେନି, ମୁଁ ରହିକି କଣ କରିବି” ବୋଲି କହି କାନ୍ଦିଥିଲେ ରାଜେଶ ।

ଅବସାଦଗସ୍ତ ହୋଇ ସ୍ଥାନୀୟ ପାର୍କରେ ଥିବା ପାଣ୍ଡୁ ନଦୀକୁ ରାଜେଶ ଡେଇଁ ପଡ଼ିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଭରପୁର ଚେଷ୍ଟା କରିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା । ଖବର ମିଳିବା ପରେ ଉଦ୍ଧାକାରୀ ଦଳ ପହଞ୍ଚି ରାଜେଶଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହାକୁ ନେଇ ପରିବାରରେ ଦୁଃଖର ମାହୋଲ ରହିଛି ।

ସୂଚନାଯୋଗ୍ୟ ଯେ, ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ମୁଲାୟମଙ୍କ ପରଲୋକ ହୋଇଥିଲା । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ସାଂସଦ ପ୍ରମୋଦ ତିଓ୍ବାରୀଙ୍କ ସମେତ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ମୁଲାୟମଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଗତକାଲି ତାଙ୍କର ଦେହାନ୍ତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହସ୍ପିଟାଲରେ ପହଞ୍ଚି ମୁଲାୟମଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Related Posts