ଦିଲ୍ଲୀ ଏମସିଡି ନିର୍ବାଚନ; ଟିକେଟ ବିକ୍ରି କରୁଥିବା ଅଭିଯୋଗରେ ଆପ୍ ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼, ଭିଡ଼ିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ଆଗକୁ ରହିଛି ଦିଲ୍ଲୀ ନଗର ନିଗମ ( ଏମସିଡି ) ନିର୍ବାଚନ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ସେଠାରେ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ସେପଟେ ଆପ୍ ବିରୁଦ୍ଧରେ ବିଜେପି ଆଣିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁଯାୟୀ ଦଳୀୟ ଟିକେଟ୍ ବିକ୍ରି କରୁଛି ଆପ୍ । ଏହାକୁ ନେଇ ଗତକାଲିଠୁ ଦିଲ୍ଲୀ ରାଜନୀତି ଖୁବ ସରଗରମ ରହିଛି ।

ଏନେଇ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଆପ୍ ର ବିଧାୟକ ଗୁଲାବ ସିଂ ଯାଦବଙ୍କୁ ସର୍ବସମ୍ମୁଖରେ ମାଡ଼ ମାରୁଛନ୍ତି ସଭାରେ ବସିଥିବା କିଛି ବ୍ୟକ୍ତି ।ଏପରିକି ନିଜକୁ ବଞ୍ଚାଇବା ପାଇଁ ସେ ଦୌଡ଼ି ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ । ତେବେ ଆକ୍ରମଣକାରୀ କେଉଁ ଦଳର ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହାର ତଦନ୍ତ କରୁଛି । କିନ୍ତୁ ଘଟଣାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଉଭୟ ଉଭୟେକୁ ଦୋଷ ଲଦାଲଦି ହେଉଛନ୍ତି ।

ଆପ୍ ବିଧାୟକ ଗୁଲାବ ସିଂ ଯାଦବ ଦିଲ୍ଲୀ ମାଟିଆଲାଲରୁ ନିର୍ବାଚିତ ହୋଇଛନ୍ତି । ସେ ଗତକାଲି ଦଳୀୟ ସମର୍ଥକମାନଙ୍କୁ ନେଇ ବୈଠକ କରୁଥିଲେ । ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ଆକ୍ରମଣ କରିଥିଲେ । ସାର୍ଟ କଲାର ଧରି ଟଣା ଘୋଷରା କରିଥିଲେ । ସେମାନଙ୍କ କବଳରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ବିଧାୟକ । ଶେଷରେ ସେଠାରୁ ତାଙ୍କୁ ଦୌଡ଼ି ପଳାୟନ କରିବାକୁ ପଡିଥିଲା ।

ଏହି ଭିଡିଓକୁ ବିଜେପି ନେତାମାନେ ସୋସିଆଲ ମିଡିଆରେ ସେୟାର କରି ଅଭିଯୋଗ ଆଣିଛନ୍ତି ଯେ, ଗୁଲାବ ଦଳୀୟ ଟିକେଟ କୁ ବିକ୍ରି କରୁଥିଲେ। ଯେଉଁଥିରେ ଆପ କର୍ମୀ ମାନେ ରାଗିଯାଇ ତାଙ୍କୁ ଆକ୍ରମଣ କରିଥିଲେ।

ଏନେଇ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଟ୍ୱିଟ କରି ଲେଖିଛନ୍ତି ଯେ, ସଚ୍ଚୋଟ ରାଜନୀତି କଥା କହୁଥିବା ଦଳର ଜଣେ ବିଧାୟକଙ୍କ ଥିଏଟ୍ରିକାଲ୍ ଡ୍ରାମାର ଦୃଶ୍ୟ । ଯାହାକି ଅଭାବନୀୟ । ଆପ୍ ଦୁର୍ନୀତିଗ୍ରସ୍ତ ହୋଇଥିବାରୁ ନିଜ ସମର୍ଥକମାନେ ମଧ୍ୟ ବିଧାୟକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇବାକୁ ପଛାଉନାହାଁନ୍ତି । ପୌରନିଗମ ନିର୍ବାଚନରେ ସେମାନଙ୍କ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି କହିଛନ୍ତି ସମ୍ୱିତ ପାତ୍ର ।

ତେବେ ବିଧାୟକ ଗୁଲାବ ଯାଦବ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଟିକେଟ୍ ବିକ୍ରି ଅଭିଯୋଗ ଭିତ୍ତିହୀନ । ମୁଁ ଏବେ ଚାଓ୍ୱଲା ପୋଲିସ ଷ୍ଟେସନରେ ବସିଛି । ଯେଉଁମାନେ ମୋତେ ଆକ୍ରମଣ କରିଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଏଠାକୁ ବିଜେପି କର୍ପୋରେଟର ଓ ବିଜେପି ପ୍ରାର୍ଥୀ ଆସିଛନ୍ତି । ବିଜେପିକର୍ମୀ ମୋତେ ଆକ୍ରମଣ କରିଛନ୍ତି, ଏହାଠୁ ବଡ଼ ପ୍ରମାଣ ଆଉ କଣ ହୋଇପାରେ ବୋଲି ଟ୍ୱିଟ୍ କରିଛନ୍ତି ବିଧାଯକ ଯାଦବ । ତେବେ ଏନେଇ ଆପ୍ ପକ୍ଷରୁ ଆଧିକରିକ ଭାବେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Related Posts