ଦିଲ୍ଲୀ ପୌର ନିର୍ବାଚନ: ‘ବିଜେପି’ ପକ୍ଷରୁ ‘ଷ୍ଟିଙ୍ଗ୍‌ ଅପରେସନ୍‌ ଭିଡିଓ’ ରିଲିଜ୍‌

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ପୌର ନିର୍ବାଚନ ଥିବା ବ‌େଳେ ଆଜି ‘ବିଜେପି’ ଗୋଟାଏ ‘ଷ୍ଟିଙ୍ଗ୍‌ ଅପରେସନ୍‌ ଭିଡିଓ’ ରିଲିଜ୍‌ କରି ‘ଆପ୍‌’ କୁ ଟାର୍ଗେଟ କରିଛି । ନେତା ମୁକେଶ ଗୋଏଲ୍‌ ‘ଦିଲ୍ଲୀ ମହାନଗର ନିଗମ’ର ଜଣେ କନିଷ୍ଠ ଯନ୍ତ୍ରୀଙ୍କଠାରୁ ୧ କ‌ୋଟି ଟଙ୍କା ଦାବି କରୁଥିବା ଅଭିଯୋଗ କରିଛି ବିଜେପି ।

ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ବିଜେପି’ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ‘ଆପ୍‌’ ନେତା ମୁକେଶ ଗୋଏଲ୍‌ଙ୍କ ଉପରେ ହୋଇଥିବା ଉପରୋକ୍ତ ଭିଡିଓ ପ୍ରଦର୍ଶନ କରିଥିଲେ।

ଉପସ୍ଥିତ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ୧୦୦/୧୫୦ ନେତାଙ୍କୁ ଦୀପାବଳି ଉପହାର ଦେବା ନିମନ୍ତେ ଆବଶ୍ୟକ କହି ଗୋଏଲ୍‌ ‘ଏମ୍‌ସିଡି’ର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ୧ କୋଟି ଟଙ୍କା ଦାବି କରିଛନ୍ତି।

‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ତୁରନ୍ତ ତାଙ୍କ ପାର୍ଟିରୁ ଗୋଏଲ୍‌ଙ୍କୁ ବହିଷ୍କାର କରିବା ଉଚିତ ବୋଲି ପାତ୍ର ଅଭିଯୋଗ କରିଛନ୍ତି।

ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଗୋଏଲ୍‌ ହେଉଛନ୍ତି କେଜ୍ରିୱାଲ୍‌ଙ୍କର ମୁଖ୍ୟ ଲୋକ। ତାଙ୍କ ପରାମର୍ଶ ବିନା ‘ଏମ୍‌ସିଡି’ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଏ ନାହିଁ।

ସୂଚନାଯୋଗ୍ୟ, ‘ଏମ୍‌ସିଡି’ ନିର୍ବାଚନରେ ଗୋଏଲ୍‌ ଆଦର୍ଶ ନଗର ୱାର୍ଡରୁ ‘ଆପ୍‌’ର ପ୍ରାର୍ଥୀ ହୋଇଛନ୍ତି। ପାଞ୍ଚଥର ମୁନିସ୍‌ପାଲ୍‌ କାଉନ୍‌ସିଲର୍‌ ହୋଇଥିବା ଗୋଏଲ୍‌ ଗତବର୍ଷ ନଭେମ୍ବର ମାସରେ କଂଗ୍ରେସ ଛାଡ଼ି ‘ଆପ୍‌’ରେ ଯୋଗ ଦେଇଥିଲେ।

ଦୁଇ ଦଳ ମଧ୍ୟରେ ‘ପୋଷ୍ଟର୍‌ ଯୁଦ୍ଧ’ ଚାଲିଥିବା ବେଳେ ‘ବିଜେପି’ ଏହି ‘ଷ୍ଟିଙ୍ଗ୍‌ ଅପରେସନ୍‌’ ଭିଡିଓ ରିଲିଜ୍‌ କରିଛି। ‘ବିଜେପି’ ‘ଆପ୍‌’କୁ ‘ଗୁଣ୍ଡା ଦଳ’ ବୋଲି କହୁଛି।

ସେପଟେ ‘ବିଜେପି’କୁ ପ୍ରତି ଆକ୍ରମଣ କରି ଗୋଏଲ୍‌ କହିଛନ୍ତି ଯେ, ‘ଏମ୍‌ସିଡି’ ନିର୍ବାଚନରେ ପରାସ୍ତ ହେବା ଆଶଙ୍କାରେ ଗୈରିକ ଦଳ ମାନସିକ ସନ୍ତୁଳନ ହରାଇଛି। ‘ବିଜେପି’ ରିଲିଜ୍‌ କରିଥିବା ‘ଷ୍ଟିଙ୍ଗ୍‌ ଭିଡିଓ’ଟି ପୁରାତନ ଏବଂ ସେତେବେଳେ ସେ ‘ଆପ୍‌’ର ସଦସ୍ୟ ନ ଥିଲେ।

Related Posts