ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନଙ୍କ ନିଯୁକ୍ତି ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ୟାଚିକା ଦାଏର : ମୋଦୀ-ଶାହାଙ୍କ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ନବ ନିଯୁକ୍ତ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କର ଏହି ନିଯୁକ୍ତିକୁ ବିରୋଧର ସ୍ବର ଉଠିଥିବା ବେଳେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି।  ଅସ୍ଥାନାଙ୍କ ନିଯୁକ୍ତି ରଦ୍ଦ କରିବାକୁ ଆଡଭୋକେଟ୍ ଏମ.ଏଲ୍ ଶର୍ମା ସର୍ବୋଚ୍ଚ ନ୍ୟାୟାଳୟରେ ଏକ ୟାଚିକା ଦାଏର କରିଛନ୍ତି। 

ଏହି ମାମଲାରେ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ ଅବସର ଗ୍ରହଣ କରିବାର ଚାରି ଦିନ ପୂର୍ବରୁ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି କରାଯିବା ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ ଅଟେ। 

 ଅବସର ଗ୍ରହଣର କିଛି ଦିନ ପୂର୍ବରୁ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀର ପୋଲିସ କମିଶନର ଭାବେ ନିଯୁକ୍ତି କରାଯିବାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଦିଲ୍ଲୀ ବିଧାନସଭା ଗୁରୁବାର ଦିନ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଏକ ପ୍ରସ୍ତାବ ପାରିତ କରି ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଅସ୍ଥାନାଙ୍କ ନିଯୁକ୍ତି ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। 

  ବିଧାନସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ସଞ୍ଜୀବ ଝା କହିଛନ୍ତି ଯେ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି କେବଳ ଅସାମ୍ବିଧାନିକ ନୁହେଁ ବରଂ ସୁପ୍ରିମକୋର୍ଟଙ୍କ ଅବମାନନା।

ପ୍ରକାଶ ଥାଉକି ୨୦୧୯ ରେ ସୁପ୍ରିମକୋର୍ଟଙ୍କ ରାୟରେ କୁହାଯାଇଛି ଯେ ଯଦି ଡିଜିପି ସ୍ତରରେ କାହାକୁ ନିଯୁକ୍ତ କରାଯାଏ, ତେବେ ଉକ୍ତ ଅଧିକାରୀ ଜଣକ ଅତି କମରେ  ୬ ମାସ ପୂର୍ବରୁ ଅବସର ନେଇଥିବା ଆବଶ୍ୟକ। ଏଭଳି ନିଯୁକ୍ତି ଦିଆଯିବା ସମୟରେ UPSC ସହ ପରାମର୍ଶ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାକେଶ ଆସ୍ଥାନାଙ୍କ ନିଯୁକ୍ତିରେ ପ୍ରକ୍ରିୟାର ସୁପ୍ରିମକୋର୍ଟଙ୍କ ରାୟର ଗୋଟିଏ ବି ମାନକ ଅନୁସରଣ କରାଯାଇ ନାହିଁ ।

ଅପରପକ୍ଷରେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳର ନେତା ରାମଭୀର ବିଧୁଡୀ ଗୃହରେ କହିଥିଲେ ଯେ ଶାସକ ଦଳର ବିଧାୟକଙ୍କ ପାଖରେ ରାକେଶ ଆସ୍ଥାନାଙ୍କ ବିଷୟରେ ସୂଚନାର ଅଭାବ ରହିଛି। 

ସେ ଯୁକ୍ତି ବାଢିଥିଲେ ଯେ ଅସ୍ଥାନା ତାଙ୍କ ସେବା ପାଇଁ 2001 ରେ ପୋଲିସ ପଦକ ପାଇଥିଲେ।  2009 ରେ, ଦେଶରେ କଂଗ୍ରେସ ସରକାର ଥିବା ସମୟରେ ରାକେଶ ଅସ୍ଥାନାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା।  ଦେଶର ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରୁଥିବାବେଳେ ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ଆମେ ସମସ୍ତେ ସ୍ୱାଗତ କରିବା ଉଚିତ୍ ବୋଲି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳର ନେତା କହିଥିଲେ। 

 ରାକେଶ ଅସ୍ଥାନାଙ୍କୁ ନିକଟରେ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।  ଏହାପୂର୍ବରୁ ଏହି ପଦବୀରେ ଏସଏନ ଶ୍ରୀବାସ୍ତବ ଦାୟିତ୍ୱ ତୁଲାଇଥିଲେ , କିନ୍ତୁ ତାଙ୍କ କାର୍ଯ୍ୟକାଳ ଜୁନ୍ ମାସରେ ଶେଷ ହୋଇଥିଲା।  ଏହା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରାକେଶ ଅସ୍ଥାନାଙ୍କୁ ଏକ ବଡ଼ ଦାୟିତ୍ବ ଦେଇ ଦିଲ୍ଲୀ ପୋଲିସ  କମିଶନର ଭାବେ ନିଯୁକ୍ତ କରାଯାଇଛି। 

 ରାକେଶ ଆସ୍ଥାନା ପୂର୍ବରୁ ବିଏସଏଫର ଡିଜି ଭାବରେ କାର୍ଯ୍ୟ କରୁଥିଲେ। ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ୍ ଆଇପିଏସ୍ ଅଧିକାରୀ । ବିଏସଏଫ ଡିଜିଙ୍କ ସହ ସେ ଏନସିବି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

 କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ହେବା ପରେ ଗୁଜୁରାଟ କ୍ୟାଡରର ରାକେଶ ଅସ୍ଥାନାଙ୍କ ସହିତ ଅନ୍ୟ 20 ଅଫିସରଙ୍କୁ କେନ୍ଦ୍ରୀୟ ବିଭାଗରେ ନିଯୁକ୍ତ କରାଯାଇଥିଲା ସେହି ମଧ୍ୟରେ ଆସ୍ଥାନ ମଧ୍ୟ ଥିଲେ। ୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅସ୍ଥାନାଙ୍କୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀ ପୋଲିସ କମିଶନର ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

ଉଲ୍ଲେଖଯୋଗ୍ୟ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ଏହାକୁ କେନ୍ଦ୍ରକରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ସେହି ସମୟରେ କେନ୍ଦ୍ର ସରକାର ଉଭୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇଦେଇଥିଲେ। ଏବଂ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ।

 ତେବେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍‌ କୋର୍ଟ ଦ୍ୱାରସ୍ଥ ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱରରାଓଙ୍କ ନିଯୁକ୍ତିକୁ ଖାରଜ କରି ଦେଇଥିଲେ।

Related Posts