ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଆପ୍ ନେତା ବିଜୟ ନାଏରଙ୍କ ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୁଣି ଗିରଫ ହେଲେ ଜଣେ ଆପ ନେତା। ତାଙ୍କ ସହ ଜଣେ ବ୍ୟବସାୟୀ ମଧ୍ୟ ଗିରଫ ହୋଇଛନ୍ତି।

ଆପ୍ ନେତା ବିଜୟ ନାଏରଙ୍କ ସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ ଗିରଫ କରିଛି ଇଡି । ଆଜି(ସୋମବାର) ଆପ ନେତାଙ୍କ ସହ ବ୍ୟବସାୟୀକୁ ଇଡି ଗିରଫ କରିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଦୁହେଁ ଜେଲରେ ଅଛନ୍ତି। ପୂର୍ବରୁ ଏମାନଙ୍କୁ ସିବିଆଇ ଗିରଫ କରିଥିଲା । ତେବେ ଇଡି ଆଜି ମନି ଲଣ୍ଡରିଂ ଆକ୍ଟରେ ଦୁହିଁଙ୍କୁ ହେପାଜତକୁ ନେଇଛି ଇଡି ।

ଦକ୍ଷିଣ ଭାରତରେ ଅଭିଷେକ ବୋଇନପଲ୍ଲିଙ୍କ ମଦ ବ୍ୟବସାୟ ରହିଥିବା ନେଇ ସିବିଆଇ ପକ୍ଷରୁ କୁହାଯାଇଛି । ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପୂର୍ବତନ ସିଇଓ ନାଏର ଆମ୍ ଆଦମୀ ପାର୍ଟି( ଆପ )ଙ୍କ ସହିତ ମଧ୍ୟ ଜଡିତ । ଏହା ପୂର୍ବରୁ ଅବକାରୀ ନୀତି ଦୁର୍ନୀତିରେ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁ ଗିରଫ କରିଥିଲା ଇଡି ଏବଂ ନଭେମ୍ବର ୧୦ ତାରିଖରେ ହାଇଦ୍ରାବାଦର ଅରବିନ୍ଦ ଫାର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରେଡ୍ଡି ଏବଂ ତେଲେଙ୍ଗାନାର ମଦ ବ୍ୟବସାୟୀ ବିନୟ ବାବୁକୁ ମଧ୍ୟ ଗିରଫ କରିଥିଲା ଇଡି । ଏବଂ ନଭେମ୍ବର ୫ ତାରିଖ ଦିନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବ୍ୟକ୍ତିଗତ ସହାୟକ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରାଯାଇଥିଲା ।

ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଜେରା କରିଥିଲା ସିବିଆଇ । ୯ ଘଣ୍ଟା ଜେରା କରାଯାଇଥିବା ସୂଚନା ରହିଥିଲା । ଜେରା ହେବା ପରେ ସିସୋଦିଆ କହିଥିଲେ, ସିବିଆଇ କାର୍ଯ୍ୟାଳୟରେ ସେପରି କିଛି ମାମଲାର ତଦନ୍ତ ଜାରି ରହିଥିବା ଅନୁଭବ କରିପାରିଲି ନାହିଁ । ମୋ ବିରୋଧରେ ଆସିଥିବା ସମସ୍ତ ମାମଲା ସମ୍ପୂର୍ଣ୍ଣ ମିଥ୍ୟା । ତେବେ ସିବିଆଇ ଅଧିକାରୀମାନେ କୌଣସି ଦୁର୍ନୀତି ମାମଲାର ତଦନ୍ତ କରୁନାହାନ୍ତି ବଂର ଦିଲ୍ଲୀରେ କିପରି ‘ଅପରେସନ ଲୋଟସ’ ସଫଳ ହେବ ସେ ନେଇ କାମ କରୁଛନ୍ତି ।” ବର୍ତ୍ତମାନ ସୁଦ୍ଧା ୧୬୯ ସ୍ଥାନରେ ଚଢାଉ କରାଯାଇଥିଲା ।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନ ଗୁଡିକରେ ମଦ ବିକ୍ରି ହେଉଥିଲା । ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନ ଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା ।

ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା । ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିଭାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଏହି ଘଟଣାର ତଦନ୍ତ ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି ରହିଛି ।

Related Posts