ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ନୂଆ ରେଳ ଲାଇନ୍‌ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରବିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ‌ଏହି ଚିଠିରେ ସେ ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ୍‌ ସହ ଯୋଡ଼ିବା ନେଇ ଉଲ୍ଲେଖ କରିଛନ୍ତି। ଶ୍ରୀମତୀ ସାହୁ ଏନେଇ କହିଛନ୍ତି ଯେ, ପଦ୍ମପୁରବାସୀଙ୍କ ଠାରୁ ଏକ ସ୍ମାରକପତ୍ର ପାଇଲା ପରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାଖଲ କରିଛି।

ପ୍ରକଳ୍ପ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମସିହା ଡିସେମ୍ବର ୧୫ ତାରିଖରେ ଏକ ସର୍ବସାଧାରଣ ବୈଠକରେ ଘୋଷଣା କହିଥିଲେ। ପ୍ରସ୍ତାବିତ ପ୍ରକଳ୍ପ ନେଇ ସେହିଦିନ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ସରକାର ମଧ୍ୟ ରେଳବାଇକୁ ଅନୁରୋଧ କରିଆସୁଛନ୍ତି। ଶ୍ରୀମତୀ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରତିଶ୍ରୁତି ସହିତ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେଣୁ ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପ ନେଇ ପୁନଃ ବିଚାର କରୁ।

ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିକୁ ନେଇ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ନିଜର ମତ ରଖିଛନ୍ତି । କେନ୍ଦ୍ରର ବୈମାତୃକ ଭାବ ଯୋଗୁ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ଯାଉଥିବା ରେଳ ଲାଇନ୍ ଯାହା ପଦ୍ମପୁର ଦେଇ ଯିବ ତାହା ସମ୍ଭବ ହୋଇପାରୁ ନାହିଁ। ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଏହାକୁ ନେଇ ଅନୁମୋଦନ କରିଛନ୍ତି। ୨୦୧୮ରୁ ଯଦି ଅନୁମୋଦନ ହୋଇଥିଲା, ତେବେ ଏଯାଏଁ କାହିଁକି କାର୍ଯ୍ୟ ହୋଇନାହିଁ। ୨୦୧୯ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ମଧ୍ୟ ଦିଆଯାଇଥିଲା, ଏହାର ଉତ୍ତରରେ କେନ୍ଦ୍ରସରକାର କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ହୋଇପାରିବ ନାହିଁ । ଯଦି କରାଯିବ ତାହାପାଇଁ ରାଜ୍ୟସରକାର ମାଗଣା ଜମି ଓ ପୁନଃ ସ୍ଥାପନା ବ୍ୟବସ୍ଥା କରିବାକୁ ପଡ଼ିବ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଗଣା ଜମି ସହ ୩୦୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ ଉତ୍ତର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ସେହିପରି ପୂର୍ବତଟ ରେଳପଥର ଏକ ରିପୋର୍ଟ ଅନୁଯାୟୀ ଏହି ପ୍ରୋଜେକ୍ଟରେ ସରକାରଙ୍କୁ ୧୭.୧୩ ପ୍ରତିଶତ ଲାଭ ହେବା ବୋଲି କହୁଛି। ବାରମ୍ବାର ଏନେଇ କେନ୍ଦ୍ରକୁ ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କେନ୍ଦ୍ର ସରକାର ଏଠାରେ ସାଧାରଣ ଜନତାଙ୍କ ହକକୁ ମରୁଛନ୍ତି ବୋଲି ସସ୍ମିତ କହିଛନ୍ତି। ଏହାରି ଭିତରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ ଇଟା ଟିଏ ବି ପଡିନି । ଏପଟେ ରାଜ୍ୟ ସରକାର ଏହାକୁ ନେଇ ତତ୍ପର ହୋଇ ରହିଛନ୍ତି । ତେବେ ଏହି କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବିଜେଡି ଦାବି କରିଛି ।