ପଶ୍ଚିମ ଓଡ଼ିଶାରେ ଜୋର ଧରିଲା ଏମ୍‌ସ ପ୍ରତିଷ୍ଠା ଦାବି : ମେଡିକାଲ କଲେଜ ଖୋଲିବାକୁ ବି ରାଜ୍ୟ ତତ୍ପର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଏମ୍‌ସ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା କରିବାକୁ ଦାବି ଉଠୁଛି। ଏହା ମଧ୍ୟରେ ରାଜ୍ୟ ସରକାର ସୁନ୍ଦରଗଡ଼ରେ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ସେଠାରେ ମେଡିକାଲ କଲେଜ ଭିତ୍ତିଭୂମି ନିର୍ମାଣର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଡାଲ ଅଫିସର ନିଯୁକ୍ତି କରି ୨୦୨୧-୨୨ ଶିକ୍ଷାବର୍ଷରୁ ଆଡମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କଲେଜର ବିଭିନ୍ନ ବିଭାଗ ପାଇଁ ପଦବି ସୃଷ୍ଟି କରିବାକୁ ମହାଲେଖାକାର(ଏଜି)ଙ୍କୁ ଚିଠି ଲେଖିଛନ୍ତି।

ଏହି ଅଗଷ୍ଟ ୨୭ରେ ଏଜିଙ୍କୁ ଚିଠି ଲେଖାଯାଇଥିବା ଜଣାପଡିଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷାଦାନ ପାଇଁ ୧୬୦ ପ୍ରାଧ୍ୟାପକ, ସହ ଟ୍ୟୁଟର, ୮୫ ଅଣ ଶିକ୍ଷକ, ୧୦ ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗ ମୁଖ୍ୟ ସହ ମେଡିକାଲ କଲେଜ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧୬ଟି ପଦବି ସୃଷ୍ଟି ପାଇଁ କୁହାଯାଇଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କାରଣ ରାଜ୍ୟ ସରକାର ନିଜେ ସୁନ୍ଦରଗଡ଼ ଏନ୍‌ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥି‌ଲେ।

କିନ୍ତୁ ଏବେ କାହିଁକି ନିଜେ ମେଡିକାଲ କଲେଜ ଖୋଲିବାକୁ ଆଗ୍ରହ ଦେଖାଉଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସୂଚନା ଥାଉକି , ୨୦୨୦ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁନ୍ଦରଗଡ଼ ଏନ୍‌ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୨୦୨୧ ଏପ୍ରିଲ ୩ରେ କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ ଗସ୍ତରେ ଆସି ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ କାମ ଆଉ ଆଗକୁ ବଢିନଥିଲା।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏମ୍ସ ପ୍ରସଙ୍ଗରେ ନିରବ ଥିଲେ। ଏହାକୁ ନେଇ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗ ମୁତାବକ ରାଜଧାନୀ ଭୁବନେଶ୍ବର ଓ କଟକର ହସ୍ପିଟାଲ ଶିଳ୍ପ ସହ ଜଡ଼ିତ ଏକ ପ୍ରଭାବଶାଳୀ ଗୋଷ୍ଠୀ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାକୁ ବିରୋଧ କରୁଛି।

Related Posts