ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ଭାଇରସ ସଂକ୍ରମଣ ବଢ଼ିବାକୁ ଲାଗିଛି । ଏବେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ଚିହ୍ନଟ ହେଉଥିବା ବେଳେ, ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୪ ରାଜ୍ୟଙ୍କୁ ଆଲର୍ଟ ଜାରି କରିଛନ୍ତି। ଏହି ସବୁ ରାଜ୍ୟରୁ ଏବେ ପ୍ରତି ସପ୍ତାହରେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଅନୁସାରେ ଏହି ସବୁ ରାଜ୍ୟରେ ପରୀକ୍ଷଣ ମଧ୍ୟ କମ୍ ହେଉଛି। ଆଜିକାଲି ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନାରୁ ଅଧିକ ସଂକ୍ରମିତ ବାହାରୁଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏହି ସବୁ ରାଜ୍ୟଙ୍କ ସହ ଭର୍ଚୁଆଲ ବୈଠକ କରିଥିଲେ। ତେବେ ଜୁନ ୧ ତାରିଖରୁ ଯେଉଁ ସବୁ ରାଜ୍ୟରେ କରୋନା କେସ୍ ବଢିବାରେ ଲାଗିଛି ସେହି ସବୁ ରାଜ୍ୟଙ୍କ ମଧ୍ୟରେ ଆସାମ, ଗୋଆ, ଗୁଜରାଟ, ହରିୟାଣା, ମେଘାଲୟ, ମିଜୋରାମ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟମାନେ ଅଛନ୍ତି। ତେବେ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ସାର୍ବଜନିକ ଆୟୋଜନ ଓ ତୀର୍ଥାଟନ ଉପରେ ବିଶେଷ ନଜର ରଖିବାକୁ ସତର୍କ କରିଛନ୍ତି।
ସାର୍ବଜନିକ ଆୟୋଜନରେ ଅଂଶଗ୍ରହଣ ଓ ତୀର୍ଥ ଯାତ୍ରାରେ ଯାଉଥିବା ଲୋକଙ୍କ ଗହଣରେ ଯେପରି କୋଭିଡ-୧୯ ସମ୍ପର୍କିତ ସାମାନ୍ୟ ଲକ୍ଷଣ ଥିବା ଲୋକେ ଯେପରି ନ ରହନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏହା ଛଡା ସମସ୍ତଙ୍କର ଟିକାକରଣ ହୋଇଥିବା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଗକୁ ବିଭିନ୍ନ ଉତ୍ସବ ଓ ଯାତ୍ରା ଲାଗି ଦେଶର ପୃଥକ ପୃଥକ ଅଞ୍ଚଳରେ ଭିଡ ବଢ଼ିପାରେ। ଏଣୁ ଏପରି ଆୟୋଜନ କୋଭିଡ-୧୯ ସମେତ ଅନ୍ୟ ସଂକ୍ରାମକ ରୋଗର ପ୍ରସାର ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।
