
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାରୋଟି ବିଦ୍ୟୁତ ପ୍ରକଳ୍ପ ଥିବା ସତ୍ତ୍ୱେ ଅନ୍ଧାରରେ ରାତି ବିତାଉଛନ୍ତି ଦକ୍ଷିଣ ଓଡ଼ିଶାବାସୀ । କାହିଁକିନା ଉତ୍ପାଦ ହେଉଛି କୋରାପୁଟରୁ କିନ୍ତୁ ଯୋଗାଣ ହେଉଛି ସାରା ଓଡ଼ିଶା ସମେତ ପଡୋଶୀ ରାଜ୍ୟକୁ। ଫଳରେ ୪ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ସତ୍ତ୍ବେ ନିଅଁଣ୍ଟିଆ ବିଦ୍ୟୁତ୍ ଯୋଗାଣର ଶିକାର ହୋଇ ଅସହ୍ୟ ଗରମ, ଗୁଳିଗୁଳିରେ ଦିନ କାଟିବା ସହ ଅନ୍ଧାରରେ ରାତି ବିତାଉଛନ୍ତି ଦକ୍ଷିଣ ଓଡ଼ିଶାବାସୀ। ସରକାର ଦୈନିକ ଘଣ୍ଟାଏ ବିଦ୍ୟୁତ୍ କାଟ କରିବାକୁ ଘୋଷଣା କରିଥିବା ବେଳେ ଦାୟିତ୍ବରେ ଥିବା ସଂସ୍ଥା ଅଘୋଷିତ ଭାବେ ୫ରୁ ଘଣ୍ଟା ବିଦ୍ୟୁତ୍ କାଟ କରୁଛି। ଯାହାକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ସେପଟେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଗଣିତ ହୋଇ ଆସୁଛି ଓଡ଼ିଶା। ଅବିଭକ୍ତ କୋରାପୁଟର କୋରାପୁଟ ଜିଲ୍ଲାରେ ରହିଛି ମାଛକୁଣ୍ଡ ଓ ଅପର କୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ। ମାଛକୁଣ୍ଡ ପ୍ରକଳ୍ପ ଦୈନିକ ୧୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି। ପ୍ରକଳ୍ପର ମରାମତି ଓ ପରିଚାଳନା ଦାୟିତ୍ବ ଆନ୍ଧ୍ର ସରକାରଙ୍କ ହାତରେ ନ୍ୟସ୍ତ ଥିବାରୁ ଉତ୍ପାଦନ ବିଦ୍ୟୁତରୁ ସିଂହଭାଗ ଆନ୍ଧ୍ରକୁ ଯୋଗାଣ ହେଉଛି। ଅଧାଦିନ ଏହି ପ୍ରକଳ୍ପ ଅଚଳ ଅବସ୍ଥାରେ ପଡି ରହୁଥିବାରୁ ଓଡ଼ିଶା ଠିକ୍ ଭାବରେ ବିଦ୍ୟୁତ୍ ପାଇପାରୁନି। ମାଛକୁଣ୍ଡ ପ୍ରକଳ୍ପ ଉପରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀ ନିର୍ଭର କରୁଥିବା ବେଳେ ବାରମ୍ବାର ୟୁନିଟ୍ ଅଚଳ ଯୋଗୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି। ଅପରକୋଲାବ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୈନିକ ୩୨୦ ମୋଗୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରଖିଛି।
ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ଧାର୍ୟ୍ୟ ଲକ୍ଷ୍ୟ ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ସ୍ବାଭାବିକ ହୋଇପାରୁନି। ଡ୍ୟାମ ପୋତି ହେବା କାରଣରୁ ଜଳଧାରଣ କ୍ଷମତା କମୁଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ସେହିପରି ନବରଙ୍ଗପୁର ଜିଲ୍ଲାରେ ରହିଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ। ଦୈନିକ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଉପରେ ଓଡ଼ିଶାର ଅଧା ଜିଲ୍ଲା ଆଲୋକିତ ହେଉଛି। ବିଶେଷ କରି ଚାଷ ପାଇଁ ଇନ୍ଦ୍ରାବତୀ ଜଳକୁ ବ୍ୟବହାର କରାଯାଉଥିବାରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନି। ଯାନ୍ତ୍ରିକ ତ୍ରୁଟି ସାଙ୍ଗକୁ ଡ୍ୟାମରେ ଆବଶ୍ୟକ ପରିମାଣର ଜଳ ରହୁନଥିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ମାଲକାନଗିରି ଜିଲ୍ଲାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ଦୈନିକ ଉତ୍ପାଦନ କ୍ଷମତା ରହିଛି ୫୧୦ ମେଗାୱାଟ୍।
ଓଡ଼ିଶାର ପାଖାପାଖି ୫୦ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତାକୁ ଅବିଭକ୍ତ କୋରାପୁଟର ଏହି ୪ ଜଳ ବିଦ୍ୟୁତ୍ ପ୍ରକଳ୍ପ ପୂରଣ କରି ଆସୁଥିବା ବେଳେ ଦକ୍ଷିଣ ଓଡ଼ିଶାବାସୀ କିନ୍ତୁ ଠିକ୍ ଭାବରେ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ୪ ପ୍ରକଳ୍ପରୁ ଉତ୍ପାଦନ ବିଦ୍ୟୁତକୁ ଜୟପୁର ଜୟନଗରରେ ଥିବା ହାଇପାୱାର ଗ୍ରିଡ୍ ଦ୍ବାରା ସାରା ଓଡ଼ିଶାକୁ ବଣ୍ଟନ କରାଯାଇଛି। ମାଛକୁଣ୍ଡ ପ୍ରକଳ୍ପରୁ ରାୟଗଡ଼ା ଗ୍ରିଡକୁ, ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୁବାଲି ଗ୍ରିଡକୁ ବିଦ୍ୟୁତ୍ ଯୋଗାଣ ହୋଇଛି। ରାୟଗଡ଼ା ଗ୍ରିଡ୍ ଜିଲ୍ଲା ସଦର ମହକୁମା, କିଛି ଗ୍ରାମାଞ୍ଚଳ ସମେତ ରେଲୱେ ଗ୍ରିଡ ଓ ଆଖୁସିଂ ଗ୍ରିଡକୁ ବିଦ୍ୟୁତ୍ ଯୋଗାଣ କରୁଛି। ଅନ୍ୟ ଋତୁରେ ରାୟଗଡ଼ା ସହରର ଆବଶ୍ୟକତା ୧୦ ମେଗାୱାଟ୍ ରହୁଥିବା ବେଳେ ଖରାଦିନରେ ୧୬ ମେଗାୱାଟକୁ ବୃଦ୍ଧି ପାଉଛି।ସେହିପରି ଗୁଣପୁରରେ ୮ ମେଗାୱାଟ୍ ପରିବର୍ତ୍ତେ ୧୦ରୁ ୧୨ ମେଗାୱାଟ୍ ଖରାଦିନରେ ଆବଶ୍ୟକତା ପଡୁଛି। ଯାହାକୁ ପୂରଣ କରିବାରେ ବିଦ୍ୟୁତ୍ ବିଭାଗ ସକ୍ଷମ ହୋଇପାରୁନି। ଫଳରେ ଘନ ଘନ ବିଦ୍ୟୁତ୍ କାଟ ଯୋଗୁ ଲୋକେ ଅଣନିଶ୍ବାଃସୀ ହୋଇ ପଡୁଛନ୍ତି। ଆଖୁସିଂ ଗ୍ରିଡ୍ ଗୁଣପୁର, ମୋହନା, କାଶୀନଗର ଗ୍ରିଡକୁ ବିଦ୍ୟୁତ୍ ଯୋଗାଣ କରୁଛି। ଇନ୍ଦ୍ରାବତୀ ପ୍ରକଳ୍ପ ସହ ସଂଯୋଗ ହୋଇଥିବା ଥେରୁବାଲି ଗ୍ରିଡ୍ ଗଞ୍ଜାମର ବ୍ରହ୍ମପୁର, ଭଞ୍ଜନଗର, କଳାହାଣ୍ଡିର କେସିଙ୍ଗା, ରେଲ ବିଭାଗର ଭାଲୁମାସ୍କା ଗ୍ରିଡକୁ ବିଦ୍ୟୁତ୍ ଯୋଗାଣ କରୁଛି।
ସେହିପରି ଜୟପୁର ଜୟନଗରରେ ଥିବା ପାୱାର୍ ଗ୍ରିଡ୍ ସହ ସଂଯୋଗ ହୋଇଛି ଥେରୁବାଲି ଗ୍ରିଡ୍। ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁନଥିବା କାରଣରୁ ସରକାର ସକାଳ ଭୋର୍ ୫ଟାରୁ ୫ଟା ୩୦, ରାତି ୮ଟାରୁ ୮ଟା ୩୦ ମିନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ୍ କାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହା ବାଦ୍ ଜରୁରି କାରଣ ଦର୍ଶାଇ ଦିନ ଏବଂ ରାତିରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି। ଯାହା ଉପଭୋକ୍ତାଙ୍କ ପାଇଁ ଅସହ୍ୟ ହୋଇ ପଡିଲାଣି। ଅନ୍ୟପକ୍ଷରେ ଗ୍ରିଡ୍ ନିର୍ମାଣ ପରେ ବି କାଶୀପୁର ଏବଂ ଗୁଣପୁରରେ ଥିବା ଗ୍ରିଡ୍ କାମରେ ଆସିପାରୁନି। ଶହେ କୋଟି ବିନିମୟରେ ନିର୍ମିତ ଗୁଣପୁର ଗ୍ରିଡ୍ କାର୍ୟ୍ୟକ୍ଷମ ହେବାର ଇତି ମଧ୍ୟରେ ୨୦ ଦିନ ବିତିଗଲାଣି। କିନ୍ତୁ ଏଠାରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇପାରୁନି। ସେହିପରି ଏକ ବର୍ଷରୁ ଉର୍ଧ୍ବ ସମୟ ହେଲା ନିର୍ମାଣ ସରିଥିବା କାଶୀପୁର ଗ୍ରିଡ୍ ୨୨୦ କେଭି ବଦଳରେ ୩୩ କେଭି କ୍ଷମତାରେ ପରିଚାଳନା ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।