ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ମାରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ଡାଲ୍ମାରେ ରୋଷେୟା ଲୁଣ ବଦଳରେ ଡିଟରଜେଣ୍ଟ୍ ପାଉଡର୍ ପକାଇ ଦେଇଥିଲେ। ପିଲାଙ୍କୁ ଖାଦ୍ୟ ପରସା ଯିବା ସମୟରେ ଡାଲ୍ମାରୁ ଗନ୍ଧ ଆସିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ଖାଇବାକୁ ବାରଣ କରିଥିଲେ।ସେହି ଖାଦ୍ୟକୁ ଫିଙ୍ଗି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ୍ ଦିଆଯାଇଥିଲା। ମାତ୍ର, ପରେ ଛାନ୍ଭିନ୍ରୁ ଡାଲ୍ମାରେ ଡିଟର୍ଜେଣ୍ଟ୍ ପଡ଼ିଥିବା ସ୍ପଷ୍ଟ ହୋଇଥିଲା।
ସୂଚନା ଅନୁସାରେ, ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଭାତ-ଡାଲ୍ମା ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ପରସା ଯିବାସମୟରେ ଡାଲ୍ମାରୁ ଏକ ଭିନ୍ନପ୍ରକାର ଦୁର୍ଗନ୍ଧ ଆସିବା ସହ ଏହାକୁ ପାଟିରେ ନେଇଥିବା କିଛି ପିଲାଙ୍କୁ ବାନ୍ତି ଦେଖାଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷୟିତ୍ରୀ ଅନୁଧ୍ୟାନ କରି ତାହାକୁ ଖାଇବାକୁ ବାରଣ କରି ସେସବୁକୁ ଫୋପାଡ଼ି ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୧୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ପାଇଁ ୪ ଜଣ ନିୟୋଜନ ହେବା ଆବଶ୍ୟକ ଥିବାବେଳେ ସ୍କୁଲରେ କିନ୍ତୁ ଏବେ ମାତ୍ର ୨ଜଣ ରୋଷେୟା କାମ କରୁଛନ୍ତି।
