‘ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ଦେଶଦ୍ରୋହ ସହ ସମାନ’; ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦ୍ଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହ ଠାରୁ କୌଣସି ମାତ୍ରାରେ କମ୍‌ ନୁହେଁ ବୋଲି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଏଭଳି ଅତ୍ୟନ୍ତ ଘୃଣ୍ଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି ।

ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କର ଏହି ଅଶାଳୀନ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଦଳକୁ ମହିଳା, ଜନଜାତି ବିରୋଧୀ ବୋଲି ପ୍ରମାଣିତ କରିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ କୌଣସି ବ୍ୟକ୍ତି ବିଶେଷ ସହ ତୁଳନା କରିବା ଅନୁଚିତ ଏବଂ ଅଶୋଭନୀୟ । ଏହି ପଦବୀର ଗାରିମା ଅକ୍ଷୁର୍ଣ୍ଣ ରଖିବା ଦେଶର ସମସ୍ତ ନାଗରିକ ଏବଂ ରାଜନୈତିକ ଦଳମାନଙ୍କର ସାମ୍ବିଧାନିକ ଦାୟିତ୍ୱ । ଅଖିଳ ଗିରିଙ୍କ ମନ୍ତବ୍ୟ ଏହାର ପରିପନ୍ଥୀ ଏବଂ ଦେଶର଼ ୧୩୦ କୋଟି ଜନତାଙ୍କ ମନରେ ଆଘାତ ପହଂଚାଇଛି । ଦେଶର ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାର ପ୍ରଶ୍ନବାଚୀ, ଟିପ୍ପଣୀ ବା ଆଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ । ଏଣୁ ଦେଶର ସର୍ବୋଚ୍ଚ ପଦବୀର ଗାରିମା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିବା ଅଖିଳ ଗିରିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଡ. ଲେଖାଶ୍ରୀ ଦାବି କରିଛନ୍ତି । ପ୍ରିୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାର ଦୃଶାହସ ତୃଣମୂଳ କଂଗ୍ରେସ କରିଛି । ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କୁଶପୁତ୍ତଳିକା ଦାହ ସହ ପ୍ରତିବାଦ ହେବ ଏବଂ ଥାନାରେ ଏତଲା ଦାୟର କରାଯିବ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଗୋଟିଏ ଜନସଭାରେ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି କହି ମନ୍ତ୍ରୀ ଗିରି ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉଛୁ। ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଗିରି।

ତେବେ ଅଖିଳ ଗିରୀଙ୍କ ଏହି ଭାଷଣ ପରେ ଏବେ ସାରା ଦେଶରେ ଏହାକୁ ନେଇ ବିରୋଧ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ସମେତ କଂଗ୍ରେସ ଓ ରାଜ୍ୟର ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଇଛି।

Related Posts