ଘଟଣା ବିଷୟରେ ନଜାଣି ମନ୍ତବ୍ୟ ଦେଉଥିବାରୁ ଲୋକଙ୍କ ଆଖିରେ ଲେଖାଶ୍ରୀ ଜୋକର: ବିଜେଡି

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡ ତଥା ମହିଳା ପୋଲିସ ଓ ବିରୋଧି ଦଳ ନେତା ହାତାହାତି ହେବା ଘଟଣାକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।ଏଥିରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ତେବେ ଏହାକୁ ନିଜ ବିଜେପିକୁ କାଉଣ୍ଟର କରିଛି ବିଜେଡି ।

ବିଜେପି ତଥା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସାମ୍ବାଦିକ ସମ୍ମିଳନୀରେ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ସେ କହିଛନ୍ତି ଯେ, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ରେ ବିଜେଡି ଟିକେଟ ପାଇଁ ନବୀନ ନିବାସ ଆସିଥିଲେ । ୨୦୧୯ରେ ମଧ୍ୟ ଟିକେଟ ପାଇଁ ଲୁଚିଛପି ନବୀନ ନିବାସ ଆସିଥିଲେ । ଆମେ ଆଶା କରୁଛୁ ଲୁଚିଛପି ୨୦୨୪ରେ ମଧ୍ୟ ଆସିବେ । ଆତ୍ମଘୋଷିତ ବିଜେପିର ଇନ୍‌ଭେଷ୍ଟିଗେଟର ତଥା ଫୋରେନସିକ ଏକ୍ସପର୍ଟ ପାଇଁ ତାଙ୍କୁ ବିଜେପିର କିଛି ନେତା ନିଯୁକ୍ତି ଦେଇଛନ୍ତି । କିନ୍ତୁ ସେ କିଛି ଜାଣନ୍ତି ନାହିଁ । ନବୁଝି ସେ ଆସନ୍ତି ଆଉ ଖାଲି କଥା ହିଁ କୁହନ୍ତି । ଲୋକଙ୍କ ଆଗରେ ଜଣେ ଜୋକର ବୋଲି ପ୍ରମାଣିତ ହୋଇଛନ୍ତି ।

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାରେ ଇପ୍ସିତା କହିଛନ୍ତି ଯେ, ଲେଖାଶ୍ରୀ ଜଣେ ମହିଳା ତ ? ଜୟନରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଲେ, ସେତେବେଳେ ସେ ଚୁପ କାହିଁକି ଥିଲେ ? ମହିଳା ହୋଇ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କେମିତି ସହିପାରିଲେ ? ସେ ଏବିଷୟରେ ଚୁପ୍ ରହିଛନ୍ତି କାରଣ ସେ ଭୟ କରୁଛନ୍ତି ଯେ, ଏ ବିଷୟରେ ମୁହଁ ଖୋଲିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ତାଙ୍କୁ ମଧ୍ୟ ଜୟନାରାୟଣ ଚପଲରେ ମାରିପାରନ୍ତି‌। ଗଣମାଧ୍ୟମ ଆଗରେ ଏପରି ପୂର୍ବ ପ୍ରସ୍ତୁତ କାହାଣୀ ଉପସ୍ଥାପନ କରିବା ପୂର୍ବରୁ ଆମେ ତାଙ୍କୁ ପୁଲିସର କିଛି ତଦନ୍ତ ଏବଂ ଫରେନସିକ୍ ପାଠ୍ୟକ୍ରମ ପଢ଼ିବା ‌ଲାଗି ଅନୁରୋଧ କରୁଛୁ। ଲେଖାଶ୍ରୀ ପୁଲିସକୁ ତା’ର ତଦନ୍ତ ଏବଂ ନ୍ୟାୟପାଳିକାକୁ ସେମାନଙ୍କର କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି ଇପ୍ସିତା କହିଛନ୍ତି।

ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିଛି । ନିକଟରେ ସମ୍ବଲପୁରରେ ଆନ୍ଦୋଳନ ବେଳେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ହୋଇଥିଲେ । ଏହାକୁ ବିରୋଧ କରି ଜୟନାରାୟଣଙ୍କ ଇସ୍ତଫା ଦାବି କରିବା ସହ ଜୟନାରାୟଣଙ୍କୁ ଅଭ୍ୟାସଗତ ଅପରାଧି ବୋଲି କହିଥିଲା ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ । ଏହାପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ ।

Related Posts