ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଭିଡିଓରେ ସତ୍ୟେନ୍ଦ୍ର ଜେଲରେ ମସାଜ କରାଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ମନିଷ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ରୋଗ ଓ ତାର ଚିକିତ୍ସା ବେଳର ସିସିଟିଭି ଫୁଟେଜକୁ ହାତେଇ ଭୁଲ ଢଙ୍ଗରେ ଉପସ୍ଥାପନ କରାଯାଉଛି ।ଏନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି ।
ସିସୋଦିଆ କହିଛନ୍ତି ଯେ, ସମସ୍ତେ ରୋଗର ଶିକାର ହୁଅନ୍ତି, ପ୍ରଧାନମନ୍ତ୍ରୀ ବି ରୋଗାକ୍ରାନ୍ତ ହେଉଥିବେ । ତାଙ୍କୁ ବି ଚିକିତ୍ସା ଆବଶ୍ୟକ ହେଉଥିବ। ସାଧାରଣ ଲୋକ ଭଳି ରାଜନେତାଙ୍କୁ ବି ଅସୁସ୍ଥ ସମୟରେ ଚିକିତ୍ସା ଓ ଉପଚାର ଦରକାର । ହେଲେ ସେହି ମୁହୁର୍ତ୍ତର ଭିଡିଓ ବନାଇ ବିଜେପି ସେୟାର କରୁଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଜେଲରେ ରହଣୀ ଭିତରେ ସତ୍ୟେନ୍ଦ୍ର ଖସିପଡିବାରୁ ତାଙ୍କର ମେରୁଦଣ୍ଡରେ ଆଘାତ ଲାଗିଛି । ହସପିଟାଲ ନିଆଯାଇ ଦୁଇ ଥର ସର୍ଜରୀ ହୋଇଛି । ଆଉ ଡାକ୍ତର ତାଙ୍କୁ ଫିଜିଓଥେରାପି କରିବାକୁ ପରାମର୍ଶ ଦେଇଛନ୍ତି ।
ହେଲେ ଫିଜିଓଥେରାପି ସମୟରେ ସତ୍ୟେନ୍ଦ୍ରଙ୍କ ଭିଡିଓ କରି ତାଙ୍କୁ ବିଜେପି ପରିହାସ କରିଛି ବୋଲି କହିଛନ୍ତି ମନିଷ ସିସୋଦିଆ । ବିଜେପି ନିର୍ବାଚନକୁ ଆଖିରେ ରଖି ଏହାକୁ ରାଜନୀତିକରଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଭିଡିଓ ଜାରି କିମ୍ୱା ଲିକ୍ ନକିରବାକୁ ଇଡି ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଏହାକୁ ଲିକ୍ କରାଗଲା । ଭିଡ଼ିଓ ଭାଇରାଲ କରି ବିଜେପି କୋର୍ଟଙ୍କ ଆଦେଶ ଅବମାନନା କରିଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି ।
