ଫେରିଲା କରୋନା; ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ କୋଭିଡ୍‌ ପଜିଟିଭ୍‌ ଟିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ୩ ତାରିଖରେ ଶେଷ ଥର ପାଇଁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ୨୦ ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିକଟରେ ମହାମାରୀ କରୋନା ଦେଶରେ ପୁଣି ଚିନ୍ତା ବଢ଼ାଇଛି । କେରଳରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିଲା । ଏହାପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି ।

ତେବେ ଦେଶରେ ଗତ ୨୪ ଘଣ୍ଟାରେ ୭୫୨ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆଉ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟରେ ଏହା ପ୍ରକାଶ ପାଇଛି । JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି ।

Related Posts