‘ଇଣ୍ଡିଆ’ ମେଣ୍ଟକୁ ଡବଲ ଝଟ୍‌କା; ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଟିଏମ୍‌ସି ଓ ଆପ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଓ ପଞ୍ଜାମରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟ୍‌କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆଜି ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍‌ସି ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି | ସେହିପରି ପଞ୍ଜାବରେ ମଧ୍ୟ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ଯାଉଥିବା ନେଇ ଆଶଙ୍କା କରାଯାଇଛି।

ତେବେ ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ସହ ଆପ୍‌ କୌଣସି ମେଣ୍ଟ କରିବନି। ଆମ୍‌ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।

ଏହାର କିଛି ସମୟ ପୂର୍ବରୁ ତ୍ରୁଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ତାଙ୍କ ଦଳ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ସେ କହିଥିଲେ। ଏଥିସହ କଂଗ୍ରେସ ସହ କୌଣସି ମେଣ୍ଟ ନଥିବା ସେ ସ୍ପଷ୍ଟ କରିଥିଲେ।

ମମତା ବାନାର୍ଜୀ କହିଥିଲେ ଯେ, ‘ମୁଁ ଯାହା ପରାମର୍ଶ ଦେଲି, ତାକୁ ସମସ୍ତେ ପ୍ରତ୍ୟାଖାନ କଲେ। ତେଣୁ ଆମେ ଏକା ଲଢ଼ିବାକୁ ସ୍ଥିର କରିଛୁ। ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ସହ କାହାର ମେଣ୍ଟ ନାହିଁ।’ କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ଲଢ଼ିବୁ। ଦେଶରେ କ’ଣ ଚାଲିଛି, ତାକୁ ନେଇ ମୁଁ ଚିନ୍ତିତ ନୁହେଁ। କିନ୍ତୁ ଆମେ ଏକ ଧର୍ମନିରପେକ୍ଷ ଦଳ। ପଶ୍ଚିମବଙ୍ଗରେ ଆମେ ଏକା ହିଁ ବିଜେପିକୁ ପରାସ୍ତ କରିଦେବୁ। ସେ ଆହୁରି କହିଛନ୍ତି, ମୁଁ ଇଣ୍ଡିଆ ମିଳିତ ମଞ୍ଚର ଅଂଶ ଅଟେ। ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆମ ରାଜ୍ୟ ଦେଇ ଯାଉଛି, କିନ୍ତୁ ଆମକୁ ଏ ବିଷୟରେ ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ ୨୮ଟି ବିରୋଧୀ ଦଳ ‘ଇଣ୍ଡିଆ’ ମେଣ୍ଟର ବ୍ୟାନର ତଳେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ବିରୋଧୀ ଏକଜୁଟ୍ ହୋଇ ବିଜେପି ନେତୃତ୍ୱ ଏନ୍‌ଡିଏକୁ ପରାସ୍ତ କରିବାକୁ ଓ ନିର୍ବାଚନରେ ଚ୍ୟାଲେଞ୍ଜ ଦେବାକୁ ଯୋଜନା କରୁଥିଲେ। କିନ୍ତୁ ଏବେ ମମତା ଓ ମାନ ଏକା ଲଢ଼ିବାନେଇ ଘୋଷଣା କରିବା ପରେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟ୍‌କା ଲାଗିଛି।

Related Posts