ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତରେ ଇବୋଲା, ବେଙ୍ଗାଲୁରୁରେ ଉଗାଣ୍ଡା ମହିଳାଙ୍କଠାରେ ଇବୋଲା ଲକ୍ଷଣ ଚିହ୍ନଟ । ପୁଣେ NIVକୁ ପଠାଗଲା ନମୁନା । ତେବେ ମେ ୨୩ ତାରିଖରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିବା ଜଣେ ୨୮ ବର୍ଷୀୟା ଉଗାଣ୍ଡା ମହିଳାଙ୍କୁ ବେଙ୍ଗାଲୁରୁର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି ଯେ ମହିଳାଙ୍କ ଶରୀରରେ ଇବୋଲା ଭଳି ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ତାଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ମହିଳା ଜଣକ ଇବୋଲା ପ୍ରଭାବିତ ଅଞ୍ଚଳରୁ ଭାରତରେ ଆସିଥିଲେ। ପ୍ରାରମ୍ଭରେ, ସେ ଏକ ହୋଟେଲରେ ରହୁଥିଲେ। କିନ୍ତୁ, ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେବା ପରେ, ତାଙ୍କୁ ବେଙ୍ଗାଲୁରୁର ସରକାରୀ ପରିଚାଳିତ ‘ଏପିଡେମିକ ଡିଜିଜ୍ ହସ୍ପିଟାଲ’କୁ ସ୍ଥାନାନ୍ତରିତ କରାଯାଇଥିଲା।
ସେପଟେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ ମହିଳାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି ଏବଂ ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ପଠାଯାଇଛି। ବର୍ତ୍ତମାନ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପ୍ରୋଟୋକଲ ଅନୁସାରେ, ପୁନଃପରୀକ୍ଷା ମଧ୍ୟ କରାଯିବ। ମହିଳାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଡାକ୍ତରମାନେ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ବ୍ୟାଖ୍ୟା କରିଛନ୍ତି ଯେ ମହିଳା ଜଣକ ଇବୋଲା ପ୍ରଭାବିତ ଅଞ୍ଚଳରୁ ଆସିଥିବାରୁ ଏବଂ ପରେ ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିବାରୁ, ତାଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
