ହେମନ୍ତ ସୋରେନ୍‌ଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରୁ ଇଡି ହେମନ୍ତଙ୍କୁ ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ । ଚମ୍ପଇ ସୋରେନ୍ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଛି ।

ପୂର୍ବରୁ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା । ତା’ ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ ।ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ । ଏବଂ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ।

ବୁଧବାର ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ପହଞ୍ଚିଥିଲା । ରାଞ୍ଚିସ୍ଥିତ ଘରେ ଇଡି ଟିମ୍ ପହଞ୍ଚି ମନି ଲଣ୍ଡରିଂ ଓ ଜମି ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରିଥିଲା ।ସୋରେନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଇଡିର ପଚରାଉଚରା ଭିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ ହୋଇଥିଲା । ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ପାଖରେ ଏକାଠି ହୋଇଥିଲେ । ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘର ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ଶେଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି ।

Related Posts