ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ପେଟ୍ରୋଲ-ଡିଜେଲ ଦରରେ ୩ଟଙ୍କାରୁ ଅଧିକ ବୃଦ୍ଧି ହେବ ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, “ମୋଦୀ ସରକାରଙ୍କ ଭୁଲ୍ ପାଇଁ ଜନତାଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି। ୩ ଟଙ୍କାର ଝଟକା ଲାଗିସାରିଛି ଏବଂ ବାକି କିସ୍ତିରେ ଲୋକଙ୍କଠୁ ଆଦାୟ କରାଯିବ ବୋଲି କହିଛନ୍ତି ।

କଂଗ୍ରେସ ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ”ଇନଫ୍ଲେସନ୍ ମ୍ୟାନ୍” (ମୁଦ୍ରାସ୍ଫୀତି ବ୍ୟକ୍ତି) ଭାବେ ସମ୍ବୋଧିତ କରିବା ସହ ନିର୍ବାଚନ ଶେଷ ହେବା ମାତ୍ରେ ସାଧାରଣ ଜନତାଙ୍କ ଉପରେ ଦରବୃଦ୍ଧିର ମାଡ଼ ଆରମ୍ଭ କରିଦିଆଇଛି ବୋଲି କହି ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ପରିସ୍ଥିତିକୁ “ମୋଦି-ସରକାର-ନିର୍ମିତ ସଙ୍କଟ” ବୋଲି କହିବା ସହ ଦେଶର ଆର୍ଥିକ ଅବସ୍ଥା ପାଇଁ ସରକାରଙ୍କ ଅକ୍ଷମତା ଓ ଦୂରଦୃଷ୍ଟିର ଅଭାବକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ଇନ୍ଧନ ସଙ୍କଟ ତୁଳନାରେ ଭାରତରେ ନେତୃତ୍ୱର ଅଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରିଛି ବୋଲି କହିଛନ୍ତି।

ସେପଟେ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଦର ୩.୧୪ ଟଙ୍କା ଓ ଡିଜେଲ ୩.୧୧ ଟଙ୍କା ବୃଦ୍ଧି ପାଇଛି, ସିଏନଜି ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଦୈନିକ ୧,୦୦୦ କୋଟିରୁ ଅଧିକ କ୍ଷତି ସହୁଥିବାରୁ ଏହି ଦର ବୃଦ୍ଧି ଅନିବାର୍ଯ୍ୟ ହୋଇପଡ଼ିଥିଲା।