ଆଇଆଇସିଙ୍କୁ ଗୁଳି ଚଳାଇ ଖସି ଯାଉଥିବା ଅପରାଧୀକୁ ଏନକାଉଣ୍ଟର

ମୋଷ୍ଟ ୱାଣ୍ଟେଡ୍ ଦିବାନା ଜଖମ, ଜଣଙ୍କୁ ମାରିବାକୁ ନେଇଥିଲା ସୁପାରୀ

ସତ୍ୟପାଠ ବ୍ୟୁରୋ : ପୁରୀରେ ଏନକାଉଣ୍ଟର ହୋଇଛି । ପୁଲିସ ଗୁଳିରେ ଗୁରୁତର ଆହତ ହୋଇଛି ମୋଷ୍ଟ ୱାଣ୍ଟେଡ୍ ଦିବାନା ବେହେରା । ଦିବାନାର ଗୋଡରେ ବାଜିଛି ଗୁଳି । ସେହିଭଳି ଦିବାନାର ଗୁଳିରେ ବାସେଳିସାହି ଥାନା ଆଇଆଇସି ମଧ୍ୟ ଆହତ ହୋଇଛନ୍ତି ।

ମିଳିଥିବା ଖବର ଅନୁସାରେ, ଜଣଙ୍କୁ ହତ୍ୟା କରିବାକୁ ସୁପାରୀ ନେଇଥିଲା ଦିବାନା । ଯାହାର ସୁରାକ ପାଇଥିଲେ ପୁରୀ ଏସପି । ରାତି ସାଢ଼େ ଗୋଟାଏରେ ଦିବାନା ଏକ ବଡ ଧରଣର ଅପରାଧ ଘଟାଇବାକୁ ଯାଉଥିବା ଖବର ମିଳିଥିଲା ପୁରୀ ଏସପି ଉମାଶଙ୍କର ଦାସଙ୍କୁ । ତୁରନ୍ତ ଏସପିଙ୍କ ନିର୍ଦ୍ଦେଶରେ ଦୁଇ ଜଣ ଆଇଆଇସିଙ୍କ ସମେତ ବିଛା ବଛା ପୁଲିସ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଦିବାନାର ଗତିବିଧି ଉପରେ ଏକ ସାଦା ପୋଷାକରେ ଥିବା ଟିମ୍ ନଜର ରଖିଥିଲା ଏବଂ ଆଉ ଗୋଟିଏ ଟିମ୍ ତାକୁ ପିଛା କରିଥିଲା । ନବକଳେବର ରୋଡର ଆଶ୍ରମ ଛକ ନିକଟରେ ଦିବାନାକୁ ଅଟାକାଇଥିଲା ପୁଲିସ ଟିମ୍ । ହେଲେ ସେ ଧରା ଦେଇନଥିଲା । ଓଲଟି ପୁଲିସ ଉପରକୁ ଫାୟାରିଂ କରିଥିଲା । ଦିବାନାର ଗୁଳି ବାଜିଥିଲା ବାସେଳି ସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କ ହାତରେ । ଗୁଳି ଫୁଟାଇ ଫେରାର ହୋଇ ଯାଉଥିବା ଦିବାନାକୁ ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲେ ଆଇଆଇସି ।

ଏନକାଉଣ୍ଟରରେ ଆହତ ହୋଇଛି ଦିବାନା । ତାର ଡାହାଣ ଗୋଡ ଆଣ୍ଠୁ ତଳକୁ ଗୁଳି ବାଜିଛି । ପ୍ରଥମେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ପରେ ତାକୁ କଟକ ପଠାଇ ଦିଆଯାଇଛି । ପୁରୀ ପୁଲିସରେ ଇନସପେକ୍ଟର ସ୍ତରରେ ଅଦଳବଦଳ ହେବା ପରେ ଏହା ହେଉଛି ପ୍ରଥମ ଏନକାଉଣ୍ଟର । କୁହାଯାଉଛି, କେନ୍ଦ୍ରାଂଚଳ ଡିଆଇଜି ଭାବେ ଆଶିଷ ସିଂ ଯୋଗଦେବା ପରେ ପୁରୀକୁ ଅପରାଧମୁକ୍ତ କରିବା ପାଇଁ ନୂଆ ଆକ୍ସନ ପ୍ଲାନ କରାଯାଇଛି । ଯେଉଁଥିପାଇଁ କିଛି ବଛାବଛା ଅଫିସରଙ୍କୁ ପୁରୀ ଅଣାଯାଇଛି । ଗତ କିଛିଦିନ ଧରି ପୁରୀରେ ଅପରାଧୀଙ୍କ ଆତଙ୍କରାଜ ଚାଲୁଥିବା ପ୍ରତିଦିନ ଖବର ଆସୁଥିଲା । ଏବେ ଏଥିରେ ରୋକ ଲାଗିବ ବୋଲି ସୂଚନା ମିଳିଛି ।

Related Posts