ଜମ୍ମୁ-କଶ୍ମୀରର ସିଧରାରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ଜମ୍ମୁ-କଶ୍ମୀରର ସିଧରାରେ ବଡ ଅତଙ୍କି ଯୋଜନା ପଣ୍ଡ। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ। ୩ ଜଣ ଯାକ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସକାଳ ୭.୩୦ରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଗୁଳି ବିନିମୟରେ ସମସ୍ତ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୩ ଜଣ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଲୁଚି ହମଲା କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ଏକେ ସିରିଜର ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି। ଏଥିସହ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

ଉଧମପୁରରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇ ଦିଆଯିବାର ଦିନକ ପରେ ଆଜି ସକାଳୁ ପଞ୍ଜତିର୍ଥୀ- ସିଧରା ରାସ୍ତାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟ ପରେ ପରେ ସେଠାରେ ଗ୍ରେନେଡ୍‌ ବିସ୍ଫୋରଣ ମଧ୍ୟ ଘଟିଥିଲା।ପୁଲିସ କହିବା ଅନୁସାରେ, ସକାଳ ପ୍ରାୟ ୭.୩୦ରେ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ଘଟଣାରେ ୨/୩ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିଲେ।

Related Posts