ଦଶମ ଶ୍ରେଣୀ ଭୂଗୋଳ ବହିରେ ତ୍ରୁଟି; ‘ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ’ ଆନ୍ଧ୍ରକୁ ଦେଇଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବହିରେ ଓଡ଼ିଶାରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ’ ସଂପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶ କରାଯାଇଛି। ପ୍ରାୟ ୭୦ବର୍ଷ ତଳେ ନିର୍ମିତ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଆନ୍ଧ୍ରର ବୋଲି ଅତି ପ୍ରାଞ୍ଜଳ ଭାବେ ବହିରେ ଉଲ୍ଲେଖ କରାଯାଇଛି। ଗଣଶିକ୍ଷା ବିଭାଗର ଏପରି ତ୍ରୁଟି କୁ ନେଇ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।ଗୋଟିଏପଟେ ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମା ଅନୁପ୍ରବେଶ ଲାଗି ଲଗାତାର ପ୍ରୟାସ କରାଯାଉଥିବା ବେଳେ ଅନ୍ୟପଟେ ଓଡ଼ିଶା ପକ୍ଷରୁ ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ମାଛକୁଣ୍ଡକୁ ଆନ୍ଧ୍ର ହାତରେ ଟେକିଦେବା ଭଳି ଲାଗୁଛି।

ତେବେ ୨୦୧୮ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିର ପୁଷ୍ଠା ନମ୍ବର ୬୯ରେ ଦେଶର ବିଭିନ୍ନ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସମ୍ବନ୍ଧୀୟ ଏକ ତାଲିକା ରହିଛି। ସେହି ତାଲିକାର ଶୀର୍ଷରେ ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ସାଗର, ନିଜାମ ସାଗର, ସିଲେରୁ, ଶ୍ରୀଶୈଳମ ଆଦି ପ୍ରକଳ୍ପ ରହିଛି। ତେବେ ପ୍ରଥମେ ମାଛକୁଣ୍ଡ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ କରି ପଛକୁ ଅନ୍ୟ ଚାରୋଟି ପ୍ରକଳ୍ପର ନାମ ଦେଖିବାକୁ ମିଳିଛି। ସେହି ତାଲିକାର କ୍ରମିକ ନମ୍ବର ୧୭ରେ ଓଡ଼ିଶାର ହୀରାକୁଦ, ବାଲିମେଳା, ରେଙ୍ଗାଳି ଓ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରାଯାଇଛି। କିନ୍ତୁ, କୋରାପୁଟ ଜିଲ୍ଲାର କୋଲାବ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ତାଲିକାରୁ ସଂପୂର୍ଣ୍ଣ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଗୋଟିଏ ପୃଷ୍ଠାରେ ବାଲିମେଳାରେ ତାପଜ ବିଦ୍ୟୁତ କେନ୍ଦ୍ର ରହିଥିବା ଉଲ୍ଲେଖ ରହିଛି ।

ତେବେ ସାରାରାଜ୍ୟର ପିଲା ଏହି ତ୍ରୁଟିପୂର୍ଣ୍ଣ ତଥ୍ୟ ସମ୍ବଳିତ ଭୂଗୋଳ ବହି ବିଗତ ୪ବର୍ଷ ହେଲା ପଢ଼ୁଛନ୍ତି। କିନ୍ତୁ, ଆଶ୍ଚର୍ଯ୍ୟର କଥା ଏହାର ପ୍ରତିବାଦ ଆଜି ଯାଏ ହେହି କରିନାହାନ୍ତି। ଫଳ‌ରେ, ଓଡ଼ିଶାର ଭୌଗୋଳିକ ସ୍ଥିତି ଏବଂ ଉପଲବ୍ଧି ସଂପର୍କରେ ସ୍କୁଲସ୍ତରରେ ଏମିତି ଭୁଲ ସୂଚନା ପରୋକ୍ଷରେ ଆନ୍ଧ୍ରକୁ ସୁହାଇବ ବୋଲି ମତ ପ୍ରକାଶ ପାଇଛି। ବିଡ଼ମ୍ବନା ହେଲା ୨୦୨୨ ମସିହାରେ ଏହି ପାଠ୍ୟ ପୁସ୍ତକର ସଂଶୋଧିତ (ପରିମାର୍ଜିତ) ସଂସ୍କରଣ ପ୍ରକାଶ ପାଇଥିଲେ ସୁଦ୍ଧା ତ୍ରୁଟିଗୁଡ଼ିକ ପୂର୍ବପରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗୋଦାବରୀ ନଦୀର ଶାଖା ନଦୀ ମାଛକୁଣ୍ଡ କୋରାପୁଟ ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଆନ୍ଧ୍ର-ଓଡ଼ିଶା ସୀମାରେ ଏହି ନଦୀରେ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ର ୧୯୫୫ ମସିହାରେ ନିର୍ମାଣ ହୋଇଥିଲା। ଏଥିପାଇଁ ୩୪.୨୭୩ ଟ୍ରିଲିଆନ ଘନଫୁଟ୍‌ ଜଳଧାରଣ କ୍ଷମତା ରଖିଥିବା ଜଳଭଣ୍ଡାର ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଳିତ ପୁଞ୍ଜିନିବେଶରେ ନିର୍ମାଣ କରାଯାଇଥିଲା। ପ୍ରଥମେ ଜଳଭଣ୍ଡାରକୁ ତେଣ୍ଟାପୁଟ କୁହାଯାଉଥିଲା। ଚତୁଃପାର୍ଶ୍ବରେ କୋରାପୁଟ ଜିଲ୍ଲାର ଅନେକ ଆଦିବାସୀ ଜନବହୁଳ ଗାଁ ରହିଛି। ଜଲାପୁଟ, ମାଛକୁଣ୍ଡ ଓ ଅନକାଡେଲ୍ଲୀ ମଧ୍ୟରେ ରହିଥିବା ତ୍ରିଭୁଜାକାର ଅଞ୍ଚଳରେ ଏହି ଜଳ ବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ ଆନ୍ଧ୍ରର ବିଜୟୱାଡା, ବିଶାଖାପାଟଣା ଏବଂ କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁର ସହରକୁ ଯୋଗାଣ ହେଉଛି। ଆନ୍ଧ୍ର ଓ ଓଡ଼ିଶା ଏହି ପ୍ରକଳ୍ପରୁ ୫୦ ଅନୁପାତ ୫୦ ହାରରେ ବିଦ୍ୟୁତ୍‌ ବଣ୍ଟନ କରୁଛନ୍ତି।

Related Posts