ନୂଆଦିଲ୍ଲୀ: ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। କାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ନେଇ ପ୍ରାଥମିକ ସୂଚନା ରହିଛି। ଘଟଣାସ୍ଥଳରେ ପାଞ୍ଚଟି ଦମକଳ ଗାଡ଼ି ପହଞ୍ଚିଛି। ବିସ୍ଫୋରଣ ପରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ପ୍ରାୟତଃ ଭିଡ଼ ରହିଥାଏ। ସନ୍ଧ୍ୟା ସମୟରେ ପର୍ଯ୍ୟଟକମାନେ ଏଠାରେ ବହୁ ସଂଖ୍ୟାରେ ଆସିଥାଆନ୍ତି। କେବଳ ଏତିକି ନୁହନ୍ତି ଲାଲକିଲ୍ଲା ନିକଟରେ ଏକ ବଡ଼ ବଜାର ରହିଛି। ସେହିପରି ନିକଟରେ ଚାନ୍ଦନୀ ଚୌକ ରହିଥିବାରୁ ଏହି ସ୍ଥାନରେ ଜନଗହଳୀ ଲାଗି ରହିଥାଏ।
ତେବେ ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିସ୍ଫୋରଣ ପରେ କାରଟିରେ ନିଆଁ ଲାଗିଯାଇଥିଲା ଏବଂ ଅନ୍ୟ ତିନୋଟି ଗାଡ଼ି ମଧ୍ୟ ଜଳିଯାଇଥିଲା। ଦିଲ୍ଲୀ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରିଛି। ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଯଦିଓ ପୋଲିସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ। ଆହତମାନଙ୍କୁ LNGP ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, “ଲାଲକିଲ୍ଲା ନିକଟରେ ବିସ୍ଫୋରଣ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଛି। ଦଶଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ପରେ ପରିସ୍ଥିତିର ତଦନ୍ତ ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ଦଳ ଗୁଡ଼ିକୁ ପଠାଯାଇଛି ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସ୍ପେଶାଲ୍ ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ଆତଙ୍କୀ ହମଲା କି ନୁହଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ |
