ଉତ୍ପାଦନ ବଢ଼ୁଛି ତଥାପି ଆମଦାନୀ ହେଉଛି

ସତ୍ୟପାଠ ବ୍ୟୁରୋ : ସଂରକ୍ଷଣ ଓ ପ୍ରକ୍ରିୟାକରଣ ଅଭାବରୁ ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀ ଅମଳ ସମୟରେ ରାଜ୍ୟ ବାହାରକୁ ଚାଲାଣ ହୋଇଯାଉଛି । ଚାହିଦା ଠାରୁ ଅଧିକ ପିଆ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହେଉଥିଲେ ମଧ୍ୟ ଓଡ଼ିଶା ବାହାରୁ ଆମଦାନୀ କରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ଏହା କହିଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିଜେପି ସଦସ୍ୟ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯଥା ଗହମ, ଡାଲି, ଖାଇବା ତେଲ, ଆଳୁ, ପିଆଜ ଓ ଚିନି ପାଇଁ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ।
ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ଚାଉଳ ମଧ୍ୟରୁ ୧୬ ଲକ୍ଷ ଟନ୍ ବଳକା ହେଉଥିବା ବେଳେ ତାହା ଭାରତୀୟ ଖାଦ୍ୟ ନିଗମ ନେଇଯାଉଛି । ଡାଲି ଓ ତୈଳବୀଜ ଅନ୍ୟ ରାଜ୍ୟରେ ପ୍ରକ୍ରିୟାକରଣ ହେଉଛି । ପନିପରିବାଗୁଡ଼ିକୁ ସାଇତି ରଖିବା ପାଇଁ ଆର୍ଏମ୍ସି ଜରିଆରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

ରାଜ୍ୟରେ ବାର୍ଷିକ ୨ ଲକ୍ଷ ୮୩ ହଜାର ମେଟ୍ରିକ୍ ଟନ୍ ଡାଲି ଓ ଡାଲି ଜାତୀୟ ଶସ୍ୟର ଚାହିଦା ଥିବା ବେଳେ ଉତ୍ପାଦନ ହେଉଛି ୮ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ । ହେଲେ ପ୍ରକ୍ରିୟାକରଣ ଶିଳ୍ପ ଅଭାବରୁ ଓଡ଼ିଶା ମହାରାଷ୍ଟ୍ର, ଛତିଶଗଡ ଓ ତେଲେଙ୍ଗାନାରୁ ଡାଲି ଆମଦାନୀ କରୁଛି । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଛୋଟ ଛୋଟ ଡାଲି ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

Related Posts