ମୁଣ୍ଡବିନ୍ଧାର କାରଣ ସାଜିଛି ମିଛ ମାମଲା !

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ମିଛ ମାମଲା । ସରକାରୀ ହିସାବ କହୁଛି କେବଳ ୨୦୧୮ବର୍ଷରେ ରାଜ୍ୟରେ ଅନ୍ୟୁନ ୩୫୫୦ଟି ମିଛ ଧର୍ତ୍ତବ୍ୟ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲା ଗୁଡିକର ପ୍ରାଥମିକ ତଦନ୍ତରେ ତଦନ୍ତକାରୀ ଅଫିସର ମାନେ ବ୍ୟାପକ ସମୟ ଓ ଶକ୍ତି ଅପଚୟ କରିବା ଫଳରେ ସତ ମାମଲାର ତଦନ୍ତରେ ବିଳମ୍ବ ହେଉଛି ।

ରିପୋର୍ଟ କହୁଛି ୨୦୧୮ ବର୍ଷରେ ଓଡ଼ିଶାରେ ୧,୦୭,୪୦୮ଟି ଧର୍ତ୍ତବ୍ୟ ଅପରାଧ ଭାରତୀୟ ପିଙ୍ଗଳ କୋର୍ଡର ବିଭିନ୍ନ ଦଫାରେ ଥାନାଗୁଡ଼ିକରେ ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ତଦନ୍ତ ପରେ ୧,୦୩,୮୫୮ଟି ମାମଲା ସତ୍ୟ ବୋଲି ପୋଲିସ ପ୍ରଶାସନ କହୁଥିବା ବେଳେ ଏଥିରୁ ୬୯,୩୪୧ଟିରେ ତଦନ୍ତ ପରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଏହି ପରିସଂଖ୍ୟାନ ଅନୁଯାୟୀ କେବଳ ଗତବର୍ଷରେ ଆମ ରାଜ୍ୟର ଥାନା/ଫାଣ୍ଡିଗୁଡ଼ିକରେ ରୁଜୁ ହେଉଥିବା ଧର୍ତ୍ତବ୍ୟ ଅପରାଧ ମାମଲାଗୁଡ଼ିକ ମଧ୍ୟରୁ ସାଢ଼େ ୩ ହଜାରରୁ ଅଧିକ ମାମଲା ମିଛ ଥିବା ଜଣାପଡ଼ୁଛି । ଗତବର୍ଷ ଓଡ଼ିଶାରେ ଯେତେ ଠକେଇ ମାମଲା ରୁଜୁ ହୋଇଥିଲା ସେଥିରୁ ଶତାଧିକ ମିଛ ଥିଲା । ୨୦୧୮ ବର୍ଷରେ ଓଡ଼ିଶାରେ ୨୫୦୨ଟି ଦୁଷ୍କର୍ମ ମାମଲା ପୋଲିସ ନିକଟରେ ରୁଜୁ ହୋଇଥିବା ବେଳେ ଏଥିରୁ ୨୪୫୯ଟି ସତ୍ୟ ବୋଲି ତଦନ୍ତକାରୀ ଅଫିସରଙ୍କ ହୃଦ୍ବୋଧ ହୋଇଛି । ତେବେ ଅବଶିଷ୍ଟ ୪୩ଟି ଏହି ଧରଣର ମାମଲାର ସତ୍ୟତା ନାହିଁ ।

ଯୌତୁକଜନିତ ମାମଲାରେ ବି ଢେର୍ ସଂଖ୍ୟକ ମିଛ ଅଭିଯୋଗ ପୋଲିସ ନିକଟକୁ ଆସୁଛି । ୨୦୧୮ ବର୍ଷରେ ୫,୩୦୦ଟି ଯୌତୁକ ଜନିତ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୭୪ଟି ଭ୍ରମାତ୍ମକ ଓ ୧୬ଟି ମିଥ୍ୟା ପ୍ରମାଣିତ ହୋଇଛି । ଏମିତିକି ଏହି ବର୍ଷରେ ୫୦୧ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ବି ପ୍ରାୟ ୨୦ଟି ମାମଲା ମିଥ୍ୟା ଅଭିଯୋଗ କିମ୍ବା ଭ୍ରମାତ୍ମକ ତଥ୍ୟ ଆଧାରରେ ଆସିଥିଲା ବୋଲି ପୋଲିସ କହୁଛି । ଯୌତୁକ ଜନିତ ଆତ୍ମହତ୍ୟା କ୍ଷେତ୍ରରେ ବି ଏଭଳି ମିଛ ମାମଲା ଆସୁଛି ।

ସରକାରୀ ପରିସଂଖ୍ୟାନ ଅନୁଯାୟୀ ଗତବର୍ଷ ପୋଲିସ ନିକଟରେ ଯେତେସଂଖ୍ୟକ ଯୌତୁକଜନିତ ନିର‌୍ୟାତନା ମାମଲା ରୁଜୁ ହୋଇଥିଲା ସେଥିରୁ ପ୍ରାୟ ୫୦ଟି ମିଛା କିମ୍ବା ଭ୍ରମାତ୍ମକ ତଥ୍ୟ ଆଧାରରେ ଥିଲା ବୋଲି କୁହାଯାଉଛି । ସେହିପରି ଉକ୍ତ ବର୍ଷରେ ରୁଜୁ ହୋଇଥିବା ଅଣଯୌତୁକ ନିର‌୍ୟାତନା ମାମଲାରେ ବି ୨୫ରୁ ଅଧିକ କ୍ଷେତ୍ରରେ ମିଛ ଅଭିଯେଗ ଆସିଥିବା ଜଣାପଡ଼ିଛି । ଏସ୍ ଓ ଏସ୍ଟି ବର୍ଗର ଲୋକଙ୍କ ଉପରେ ଗତବର୍ଷ ପୋଲିସ ନିକଟରେ ୨୩୨୦ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୧୯୧ଟି ମିଥ୍ୟା ପ୍ରମାଣିତ ହୋିଛି ଓ ଆଉ ୩୬ଟି ଭ୍ରମାତ୍ମକ ତଥ୍ୟ ଆଧାରରେ ରୁଜୁ ହୋଇଥିବା ବେଳେ ବିଭିନ୍ନ କାରଣରୁ ଆଉ ୬୪ଟିକୁ ପୋଲିସ ପରିସମାପ୍ତି ଘୋଷଣା କରିବାକୁ ବାଧ୍ୟ ହୋଇଛି ।

ଗୋଟିଏ ପଟେ ବର୍ଷକୁ ବର୍ଷ ମିଛ ମାମଲା ବଢ଼ୁଥିବା ବେଳେ ଅନ୍ୟପଟରେ ବିଭିନ୍ନ କାରଣରୁ ଦଣ୍ଡବିଧାନ ହାର ଢେର୍ କମ୍ ରହୁଛି । ଅବକାରୀ ମାମଲାରେ ବର୍ଷରେ ଦଣ୍ଡବିଧାନ ହାର ଗତ ୫ ବର୍ଷ ମଧ୍ୟରେ ୧ରୁ ୧୦ ପ୍ରତିଶତ ଭିତରେ ରହଛି । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ସର୍ବଶେଷ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ୬.୨ ପ୍ରତିଶତ ଥିବା ବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧରେ ଏହା ୯.୨ ପ୍ରତିଶତ ଓ ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରାରେ ରୁଜୁ ମାମଲାରେ ୧୦.୪ ପ୍ରତିଶତ ରହୁଛି । ଏସ୍ସିମାନଙ୍କ ପ୍ରତି ଅତ୍ୟାଚାର ମାମଲାରରେ ଏହି ରିପୋର୍ଟରେ ଦଣ୍ଡବିଧାନ ହାର ମାତ୍ର ୩.୩ ପ୍ରତିଶତ ଥିବା ବେଳେ ଏସ୍ଟି ପ୍ରତି ଅତ୍ୟାଚାର ମାମଲାରେ ଦଣ୍ଡବିଧାନ ହାର ୫.୭ ପ୍ରତିଶତରେ ସୀମିତ ଥିବା ଜଣାପଡ଼ିଛି ।

Related Posts