(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟର ବିଜୁଳି ବଣ୍ଟନ ବ୍ୟବସ୍ଥା ଟାଟା ପାୱାର ହାତକୁ ଯିବାପରେ ସ୍ଥିତିରେ ଉନ୍ନତି ଆସିବ ପରିବର୍ତ୍ତେ ଏହାର ଓଲଟା ପରିଣାମ ଦେଖିବାକୁ ମିଳୁଛି । ତେବେ ଅଭିଯୋଗ ମୁତାବକ ସ୍ଥିତି ଏମିତି ହୋଇଯାଇଛି ଯେ ଗ୍ରାହକସେବା କେନ୍ଦ୍ରରେ ଯିଏ ଅଭିଯୋଗଟିଏ କରୁଛି ବିଦ୍ୟୁତ୍‍ କର୍ମଚାରୀମାନେ ତାହାରି ଘର ଖୋଜି ଖୋଜି ଚଢଉ କରୁଛନ୍ତି । ଏହା ଫଳରେ ଗ୍ରାହକମାନେ ଅନ୍ଧାରରେ ରହୁଛନ୍ତି ପଛେ ଅଭିଯୋଗ କରି ଅସୁବିଧାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି।

ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଆସିଛି ଜଗତ୍‍ସିଂହପୁର ଜିଲ୍ଲାରୁ । ଜଗତ୍‍ସିଂହପୁର ଜିଲ୍ଲାରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ସେସୁ ଥିବାବେଳେ ତାହାର ଫ୍ରାଞ୍ଚାଇଜ ନେଇଥିବା ଏନ୍‍ଜେନ୍‍ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ଭୟଭୀତ କରିବାପାଇଁ ଏଭଳି ପନ୍ଥା ଆପଣଉଥିବା ଅଭିଯୋଗ ହୋଇଛି । ଯଦି କେହି ଉପଭୋକ୍ତା ନିଜ ଅଞ୍ଚଳରେ ଲୋ ଭୋଲଟେଜ, ବାରମ୍ବାର ବିଜୁଳି କାଟ୍‍ କିମ୍ବା ଟ୍ରାନ୍ସଫର୍ମର ଖରାପ ଅଭିଯୋଗ କରୁଛନ୍ତି ତେବେ ଏନ୍‍ଜେନ୍‍ର କର୍ମଚାରୀ ସମ୍ପୃକ୍ତ ଗ୍ରାହକଙ୍କ ଘରେ ପଶି ମିଟର ଯାଞ୍ଚ ବାହାନାରେ ନାନା ପ୍ରକାର ହଇରାଣ କରୁଥିବାର ଅଭିଯୋଗ କରୁଥିଲେ ।

ତେବେ ଟାଟା ପାୱାର ହାତକୁ ଏହି କ୍ଷମତା ଯିବା ପରେ ଟାଟା କର୍ତ୍ତୃପକ୍ଷ ମଧ୍ୟ ସମାନ ନୀତି ଆପଣେଇଛନ୍ତି । ଯାହାର ଉଦାହରଣ ହେଉଛି ଜଗତ୍‍ସିଂହପୁର ଜିଲ୍ଲାର ପଲ୍ଲୀ ପଞ୍ଚାୟତ। ସୂଚନା ମୁତାବକ ଏଠାରେ ଗୋଟିଏ ଟ୍ରାନ୍ସଫର୍ମର ପ୍ରାୟ ୪ମାସ ହେଲା ପୋଡି ଯାଇଛି । ଟାଟା ପାୱାର କର୍ତ୍ତୃପକ୍ଷ ନୂଆ ଟ୍ରାନ୍ସଫର୍ମର ବସାଇବା ବଦଳରେ ସେହିସବୁ ଗ୍ରାହକଙ୍କୁ ଅନ୍ୟଏକ ଛୋଟ ଟ୍ରାନ୍ସଫର୍ମରରେ ଯୋଡି ଦେଇଛନ୍ତି ।

ଫଳରେ ଲୋଭୋଲଟେଜ ସମସ୍ୟାରେ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏ ସମସ୍ୟା ନେଇ କେହି ଯଦି ଟାଟା ପାୱାରର ଅଭିଯୋଗ କେନ୍ଦ୍ରକୁ ଫୋନ୍‍ କରି ଅଭିଯୋଗ କରୁଛି ତେବେ ତିନି ଚାରିଦିନ ପରେ ଉକ୍ତ ବ୍ୟକ୍ତିଙ୍କ ଘର ଖୋଜି ଖୋଜି ଟାଟା କର୍ମଚାରୀମାନେ ମିଟର ଯାଞ୍ଚ ବାହାନାରେ ନାନା ପ୍ରକାର ହଇରାଣ କରୁଥିବାର ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ଏପଟେ ଟାଟା ପାୱାରର ଗ୍ରାହକସେବା କେନ୍ଦ୍ର ଠିକ୍ ଭାବେ କାମ କରୁ ନାହିଁ। ଅପରପକ୍ଷରେ ଅଭିଯୋଗକାରୀ ଯଦି ନିର୍ଯ୍ୟାତନାର ଶିକାର ହେବେ ତେବେ କିଭଳି ଉନ୍ନତ ବିଜୁଳି ସେବା ପାଇବେ ତାହା ବଡ ସମସ୍ୟା ହୋଇଛି । ବିଜୁଳି ବିଲ୍‍ ନେବା ସମୟରେ ଟାଟା କର୍ତ୍ତୃପକ୍ଷ ହେଳା କରୁନଥିବାବେଳେ ଗ୍ରାହକଙ୍କ ସମସ୍ୟା ସମାଧାନ ଦିଗରେ ଏଭଳି ନୀତିକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ବିଜୁଳି ଦର ହୁ ହୁ ହୋଇ ବଢୁଥିବାବେଳେ ସେବାର ନ୍ୟୁନ ମାନ ଓ ବିତରଣ କମ୍ପାନୀର ବାରମ୍ବାର ପରିବର୍ତ୍ତନ ଯୋଗୁଁ ଗ୍ରାହକମାନେ ଏବେ ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ଅବସ୍ଥା ହୋଇଛି ।