ଗତ ୧୦ ବର୍ଷରେ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆଙ୍କ ପ୍ରଦର୍ଶନ କେମିତି ରହିଛି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ଓଡିଶାର ପ୍ରଦର୍ଶନ କେମିତି ରହିଛି ?କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ଓଡ଼ିଶାରୁ ପ୍ରତିବର୍ଷ କେ‌ତେ ଜଣ ପିଲା ଉତ୍ତୀର୍ଣ୍ଣ ହେଉଛନ୍ତି। ବର୍ଷକୁ ବର୍ଷ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ନା ହ୍ରାସ ପାଉଛି ନା ସ୍ଥିର ରହୁଛି ? ପ୍ରତିବର୍ଷ ପରୀକ୍ଷା ଫଳ ପ୍ରକାଶ ପରେ ଏତେ ପାସ୍‌ କଲେ, ସେତେ ପାସ୍‌ କଲେ ଏମିତି କୁହାଯାଉଛି। କିନ୍ତୁ ପ୍ରତି ବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କେତେଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏହାର ହିସାବ କାହା ପାଖରେ ବି ଖବର ନାହିଁ। ସ୍ଥିତି ଏମିତିଯେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରୁ କେତେଜଣ ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି ଏହାର ତଥ୍ୟ ଉଚ୍ଚଶିକ୍ଷା ବିଭାଗ ପାଖରେ ବି ନାହିଁ।

ତେବେ ଏ କଥା ଖୋଦ୍ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ଏକ ଚିଠିରୁ ଜଣା ପଡ଼ିଛି। ଅଲ୍ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ଉତ୍ତୀର୍ଣ୍ଣ ହେଉଥିବା ଓଡ଼ିଆଙ୍କ ତଥ୍ୟ ପାଇବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ଚିଫ୍‌ ରେସିଡେଣ୍ଟ କମିସନରଙ୍କୁ ଲେଖିଛନ୍ତି। ଉଚ୍ଚଶିକ୍ଷା ସଚିବଙ୍କ ଏହି ଚିଠିରୁ ଜଣାପଡ଼ିଛି। ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଗତ କିଛିବର୍ଷ ହେଲା ସାଧାରଣତଃ ଗୋଟିଏ ଉପଲବ୍ଧି ରହିଛି ‌ଯେ ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁ ଏହାର ସତ୍ୟତା କେତେ ତାହା ଜାଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ଚିଫ୍‌ ରେସିଡେଣ୍ଟ କମିସନରଙ୍କୁ ପଚାରିଛନ୍ତି। ଯେହେତୁ ଉଚ୍ଚଶିକ୍ଷା ବିଭାଗ ନିଜସ୍ବ ସ୍ତରରୁ ଏହି ତଥ୍ୟ ସଂଗ୍ରହ କରିବାର କୌଣସି କାରଣ ନାହିଁ, ତେଣୁ ଏ ସମ୍ପର୍କରେ ପଦକ୍ଷେପ ନେଇ ୟୁପିଏସ୍‌ସି କାର୍ଯ୍ୟାଳୟକୁ ତଥ୍ୟ ସଂଗ୍ରହ କରି ପଠାଇବାକୁ ଅନୁରୋଧ କରାଯାଇଛି। ତେବେ ଯେତେଶୀଘ୍ର ସମ୍ଭବ ଏହି ତଥ୍ୟ ମିଳିଗଲେ ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା ପୁଣିଥରେ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେବ ବୋଲି କହିଛି।

ମିଳିଥିବା ସୂଚନା ମୁତାବକ ପୂର୍ବରୁ ସମସ୍ତ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ଯୋଜନା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଥିଲା। ଉତ୍କଳ ୟୁନିଭରସିଟି ସମେତ ଆଉ କିଛି ବିଶ୍ବବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା। ତେବେ ସବୁ କିଛି ଯୋଜନାରେ ଅଟକି ରହିଯାଇଛି।

Related Posts