ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇ ଓଲଟିଲା ଟ୍ରକ୍। ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଟ୍ରକ୍ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଫଳରେ ଗୋଟିଏ ବାଇକ୍ ସଂପୂର୍ଣ୍ଣ ଜଳି ଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଖଲ୍ଲିକୋଟର ୫ ଜଣ ଯୁବକ ଦିଲ୍ଲୀପ ପାହାନ, ଶ୍ରୀକାନ୍ତ ସାହୁ, ରାଜେଶ ସାହୁ, ବାନାମ୍ବର ସାହୁ ଓ ସନ୍ତୋଷ ରାଉତ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଯୋଗେ ଗୁରୁବାର ବିଳମ୍ବିତ ରାତିରେ କନକା ଗ୍ରାମକୁ ଯାତ୍ରା ଦେଖିବାକୁ ଯାଉଥିଲେ।ଏହି ସମୟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ଏକ ଟ୍ରକ ସାନଘାଟି ନିକଟରେ ବାଇକ ଓ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦିଲ୍ଲୀପ ପାହାନ ଓ ଶ୍ରୀକାନ୍ତ ସାହୁଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଟ୍ରକ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଖଲ୍ଲିକୋଟର ରାଜେଶ ସାହୁ, ବାନାମ୍ବର ସାହୁ ଓ ବୁରୁଝୁରି ନୂଆଗାଁର ସନ୍ତୋଷ ରାଉତ।
ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଅପର ପକ୍ଷରେ ଟ୍ରକଟି ବାଇକ ଓ ସ୍କୁଟିକୁ ଧକ୍କା ଦେଇ ଚମ୍ପଟ ମାରିବା ବେଳେ ବଡ଼ ଘାଟି ଉପରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଟ୍ରକ ଡ୍ରାଇଭର ପଶ୍ଚିମବଙ୍ଗ ଭଦୁରିଆ ଅଞ୍ଚଳର ସିନ୍ତୁ ୟାଦବ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ଦୀର୍ଘ ୩ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଡ୍ରଇଭରଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ବାଇକ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସ୍କୁଟିଟି ଭାଙ୍ଗି ଚୁରମାର୍ ହୋଇଯାଇଛି।
ତେବେ ୧୬ ନମ୍ବର ଜାତୀୟ ରାଜପଥର ସାନଘାଟି ଠାରୁ ନାରାୟଣୀ ଛକ ମଧ୍ୟରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ଦୀର୍ଘ ଦିନ ଧରି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିବା ଓ ରାଜପଥକୁ ଆଲୋକୀକରଣ ନକରିବା ଦ୍ଵାରା ଦୁର୍ଘଟଣା ବଢି ଚାଲିଛି । ତେଣୁ ଏହି ଅଞ୍ଚଳକୁ ବ୍ଲାକ ସ୍ପଟ ଘୋଷଣା କରିବା ସହ ଦୁର୍ଘଟଣାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।
