ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାମିଲ୍ନାଡୁ ସରକାର ନିଜ ରାଜ୍ୟରେ ଏକ ନୂଆ ଟ୍ରାଫିକ୍ ନିୟମ ଲଗାଇଛନ୍ତି। ଏହି ଟ୍ରାଫିକ୍ ନିୟମ ଅନୁସାରେ ଏଣିକି କ୍ୟାବ ରାଇଡ୍ କ୍ୟାନ୍ସଲ୍ କଲେ ଦେବାକୁ ହେବ ଜରିମାନା। ତେବେ ଏହି ଜରିମାନା ଯାତ୍ରୀଙ୍କ ପାଇଁ ନୁହେଁ, ବରଂ କ୍ୟାବ୍ କମ୍ପାନିଙ୍କୁ ଦେବାକୁ ହେବ। ଏହି ନିୟମ ଆଜିଠାରୁ ରାଜ୍ୟରେ ଲାଗୁ ହୋଇଥିବା ବେଳେ ଏହା ଯାତ୍ରୀଙ୍କୁ ଆଶ୍ବସ୍ଥ କରିଛି।ଏଣିକି ଆଉ କ୍ୟାବ୍ ଚାଳକ ମନଇଚ୍ଛା ରାଇଡ୍ କ୍ୟାନ୍ସଲ୍ କରିପାରିବେ ନାହିଁ।
ପୂର୍ବରୁ କ୍ୟାବ୍ ଚାଳକମାନେ ଯେଉଁ ମନମାନି କରି ଇଚ୍ଛା ନଥିଲେ ରାଇଡ୍ କ୍ୟାନ୍ସଲ୍ କରିଦେଉଥିଲେ, ସେପରି ଆଉ କରିପାରିବେ ନାହିଁ। ଯଦି କୌଣସି କାରଣରୁ କ୍ୟାବ୍ ଡ୍ରାଇଭର୍ ଯାତ୍ରୀଙ୍କୁ ନେବାକୁ ମନା କରୁଛନ୍ତି ବା ରାଇଡ୍ କ୍ୟାନ୍ସଲ୍ କରୁଛନ୍ତି ତେବେ ତାଙ୍କୁ ୫୦ରୁ ନେଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ।
ଯେଉଁମାନେ କ୍ୟାବ୍ ବୁକ୍ କରି ବରାବର ଯାତ୍ରା କରନ୍ତି ସେମାନଙ୍କ ପାଇଁ ତାମିଲ୍ନାଡୁ ସରକାରଙ୍କର ଏହି ନିୟମ ଖୁବ୍ ଲାଭଦାୟକ ହେବ। କାରଣ ଅନେକ ଅସୁବିଧା ସମୟରେ ଲୋକେ ବାରମ୍ବାର ଗାଡ଼ି ବୁକ୍ କରିବା ପରେ ବି କ୍ୟାନ୍ସଲ୍ ହୋଇ ଯାଉଥିବା ସମସ୍ୟାର ସାମ୍ନା କରୁଥିଲେ। ଏପରି ଅଭିଯୋଗ ପୂର୍ବରୁ ଅନେକ ଯାତ୍ରୀ ଆଣିଛନ୍ତି ଯେ, ବୁକ୍ କରିଥିବା ରାଇଡ୍କୁ ଅଧିକାଂଶ ସମୟରେ ଗାଡ଼ି ଚାଳକମାନେ ନିଜ ସୁବିଧା ଅନୁସାରେ କ୍ୟାନ୍ସଲ୍ କରି ଦେଇଥାନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇବା ପାଇଁ ଶେଷ ସମୟରେ ହିଁ ମନା କରି ଦେଇଥାନ୍ତି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେବେ ସରକାରଙ୍କ ଏହି ନୂଆ ନିୟମ ଆସିବା ପରେ ଆଉ କ୍ୟାବ୍ ଚାଳକଙ୍କ ମାନମାନି ଚାଲିବ ନାହିଁ। ଏହି ନିୟମ ଯାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି କୁହାଯାଉଛି।





