ନାଇଜେରିଆର ଲାନଲେଟ୍‌ରେ ଭୟଙ୍କର ଦୁର୍ଘଟଣା:ଯାତ୍ରୀବାହୀ ବସ୍‌ ଅନ୍ୟ ଏକ ଗାଡ଼ି ସହ ପିଟି ହେବାରୁ ୨୦ ମୃତ

ଲାଜୋସ: ନାଇଜେରିଆର ଇବାରପା ଅନ୍ତର୍ଗତ ଲାନଲେଟ୍‌ରେ ଶୁକ୍ରବାର ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ଚାଲି ଯାଇଛି ୨୦ ଜଣଙ୍କ ଜୀବନ। ଗୋଟିଏ ଯାତ୍ରୀବାହୀ ବସ୍‌ ଅନ୍ୟ ଏକ ଗାଡ଼ି ସହ ପିଟି ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଇବାରପା ଜିଲ୍ଲାର ଚେୟାରମ୍ୟାନ ଜବେଙ୍ଗା ଓବାଲୋୱୋ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା ଥିଲା। ଆମେ ବସ୍‌ ଭିତରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ। ସେଗୁଡ଼ିକ ସଂପୂର୍ଣ୍ଣ ଜଳି ଯାଇଛି। ଦୁଇ ଗାଡ଼ି ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଉଭୟ ଗାଡ଼ିରେ ଯାତ୍ରୀ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିଛି ଲୋକ ବାହାରକୁ ବାହାରିବାରେ ସକ୍ଷମ ହୋଇଥିବା ବେଳେ ୨୦ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ସେହିପରି ଦୁଇ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡ଼ି ଦୁଇଟି ନିଆଁରେ ସଂପୂର୍ଣ୍ଣ ଭାବ ପୋଡ଼ି ଯାଇଛି ବୋଲି ସେ କହିଛନ୍ତି। ସେ ଦୁର୍ଘଟଣା ପାଇଁ ସ୍ପିଡ ଓ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂକୁ ଦାୟୀ କରିଛନ୍ତି।

ପୁଲିସ୍‌ ମଧ୍ୟ ୨୦ ଜଣ ଲୋକ ପ୍ରାଣ ହରାଇଥିବା କଥାକୁ ନିଶ୍ଚିତ କରିଛି। ହେଲେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ। ଦୁଇଟି ଯାକ ଗାଡ଼ିରେ କେତେ ଲୋକଥିଲେ? ପ୍ରାଣ ହରାଇଥିବା ଲୋକମାନେ କୁଆଡ଼େ ଯାଉଥିଲେ? ସେମାନଙ୍କ ପରିଚୟ ଆଦି ସାର୍ବଜନୀନ କରାଯାଇନି।

ଏହାପୂର୍ବରୁ ଜୁଲାଇ ମାସରେ ନାଇଜେରିଆର କାଦୁନ ଷ୍ଟେଟରେ ୩ଟି ଗାଡ଼ି ମଧ୍ୟରେ ଧକ୍କା ହେବାରୁ ନିଆଁ ଲାଗି ଯାଇଥିଲା। ଏଥିରେ ୩୦ ଜଣ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଗତବର୍ଷ ଦେଶରେ ୧୦,୬୩୭ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୧୦୧ ଲୋକଙ୍କ ଜୀବନ ଯାଇଛି। ସେହିପରି ୩୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Related Posts