ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୮/୩(ସତ୍ୟପାଠ ବ୍ୟୁରୋ):   ଆଜି ମହାଶିବରାତ୍ରି । ସମସ୍ତ ସୈବଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳୁଛନ୍ତି ଶ୍ରଦ୍ଧାଳୁ। କିମ୍ବଦନ୍ତୀ ରହିଛି ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ବ ଦୀପ ଜାଳି ଉଜାଗର ରହିଥିଲେ।

ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ।

ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯିବ।ସେହିପରି ଦିନ ୨ଟା ୪୫ ରୁ ୩ଟା ୪୫ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି ହେବ।

ସନ୍ଧ୍ୟା ୭ଟା ୩୦ରୁ ୮ଟା ୧୦ ପ୍ରଭୁ ଲିଙ୍ଗରାଜଙ୍କ ମାଜଣା ନୀତି କରାଯିବ। ରାତି ୮ଟା ୧୦ ରୁ ୮ଟା ୫୫ ପ୍ରଭୁ ଲିଙ୍ଗରାଜଙ୍କ ଯାତ୍ରା ପୂଜା ଓ ବେଢା, ୮ଟା ୫୫ ରୁ ରାତି ୧୦ ଟା ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ସରିବା ପରେ ମହାଦୀପ ଉଠିବ । କଟକର ଧବଳେଶ୍ବର, ପୁରୀର ଲୋକନାଥ ପୀଠରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Related Posts