ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ: ପ୍ରଥମ ଦିନରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ

ବିଗତ ଦୁଇ ବର୍ଷ ହେଲା କରୋନା ମଧ୍ୟରେ ଆଶା ଓ ଆଶଙ୍କା ଭିତରେ ଖେଳାଯାଇଥିବା ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଶନିବାରଠାରୁ (ଆଜି) ଆରମ୍ଭ ହେବାକୁ ଯାଉଛି। ୨୦୧୧ ମସିହା ପରେ ପୁଣି ଥରେ ୧୦ ଦଳକୁ ନେଇ ଏହି ଫଟାଫଟ୍‌ କ୍ରିକେଟ୍‌ର ରୋମାଞ୍ଚ ଫେରିବାକୁ ଯାଉଛି। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପ୍ରଶଂସକ ଉଲ୍ଲସିତ, ସଭିଁଙ୍କ ମନରେ ନୂଆ ଉନ୍ମାଦନା ସହ ଆରମ୍ଭ ହେବ ଆଇପିଏଲ୍‌ । ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ଙ୍କ ମଧ୍ୟରେ ଭରପୁର ଉତ୍କଣ୍ଠା ରହିଛି । ଘରୋଇ ମାଟିକୁ ଫେରିଛି ଆଇପିଏଲ୍‌ । କଳେବର ବଢ଼ିଛି, ହେଲେ ଭେନ୍ୟୁ ସୀମିତ ରହିଛି । ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ । ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ଆଜିଠୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ଦୁଇଟି ନୂଆ ଦଳ ସହ ଲିଗର ନବକଳେବର ହୋଇଛି। ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ହୋଇଥିଲା । ଯଦିଓ ୨୦୨୧ ସିଜନ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଶେଷରେ ସିଜନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା। କିନ୍ତୁ ୨୦୨୨ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁନେରେ ୪ଟି ଭେନ୍ୟୁ ଚୟନ କରାଯାଇଛି। ଲିଗର ସମସ୍ତ ମ୍ୟାଚ୍‌ ଏହି ଭେନ୍ୟୁରେ ଖେଳାଯିବ।

ସମସ୍ତ ୧୦ଟି ଯାକ ଦଳର ଶିବିର ଏବେ ଚଳଚଞ୍ଚଳ ରହିଛି । ନେଟ୍ସରେ ଅଭ୍ୟାସ ସାଙ୍ଗକୁ ଦଳର ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତି ଉପରେ ଫ୍ରାଞ୍ଚାଇଜମାନେ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ସମସ୍ତ ଦଳ ଏହି ସିଜନରୁ ନୂଆ ଆରମ୍ଭ କରିବେ । କୌଣସି ଦଳକୁ ପ୍ରାରମ୍ଭରୁ ଦାବିଦାର ଭାବେ ବିବେଚନା କରିବା ଠିକ୍‌ ହେବ ନାହିଁ । ପ୍ରତ୍ୟେକ ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । କେଉଁ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେବାର ସେମାନଙ୍କର ସାମର୍ଥ୍ୟ ରହିଛି ।

୧୦ ଦଳୀୟ ପ୍ରତିଯୋଗିତା ହୋଇଥିବାରୁ ମ୍ୟାଚ୍‌ ସଂଖ୍ୟା ମଧ୍ୟ ୬୦ରୁ ୭୪କୁ ବୃଦ୍ଧି ପାଇଛି। ତେବେ ପ୍ରତ୍ୟେକ ‌ଦଳ ମୋଟ ୧୪‌ ଲେଖାଏଁ ମ୍ୟାଚ୍‌ ଖେଳିବାର ଥିବାରୁ ଖେଳାଳିମାନେ କେତେ ଗଭୀର ଓ ଗମ୍ଭୀରତାର ସହ ଏହି ଅଢ଼େଇ ମାସ ଲଢ଼ିବେ ସମୟ କହିବ। ତେବେ ମହାରାଷ୍ଟ୍ରର ୪ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଏଥର ବିମାନଯାତ୍ରାର ଆବଶ୍ୟକତା ପଡ଼ିବନି। ମୁମ୍ବାଇର ୩ ଓ ପୁନେର ଗୋଟିଏ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯିବ। କ୍ୟୁରେଟରଙ୍କ ପାଇଁ ଏହା ଆହ୍ବାନ ଭରା ଥିଲେ ମଧ୍ୟ ପ୍ରତିଯୋଗିତାର ପ୍ରଥମ ଭାଗ ନିଶ୍ଚିତ ହାଇସ୍କୋରିଂ ମ୍ୟାଚ୍‌ ହେବ ବୋଲି ବିଶ୍ବାସ ରହିଛି।

ଚେନ୍ନାଇ ସୁପର୍‌ କିଙ୍ଗସ (ସମ୍ଭାବ୍ୟ ୧୧): ଋତୁରାଜ ଗାଏକ୍ବାଡ, ରବିନ ଉଥପ୍ପା, ଡେଭନ କନୱେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା (ଅଧିନାୟକ), ଶିଭମ ଦୁବେ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ଡ୍ବାନ୍ ବ୍ରାଭୋ, ରାଜବର୍ଦ୍ଧନ ହଙ୍ଗର‌ଗେକର, କ୍ରିସ୍ ଜୋର୍ଡାନ୍‌/ମହେଶ ଠିକସାଣା, ଆଦାମ୍ ମିଲନେ।

କୋଲକାତା ନାଇଟ୍ ରାଇଡର୍ସ (ସମ୍ଭାବ୍ୟ ୧୧): ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର (ଅଧିନାୟକ), ନୀତିଶ ରାଣା, ସାମ ବିଲିଙ୍ଗ୍ସ (ୱିକେଟରକ୍ଷକ), ଆନ୍ଦ୍ରେ ରସେଲ୍‌, ସୁନିଲ ନାରାୟଣ, ଚାମିକା କରୁଣାରତ୍ନେ, ଶିଭମ ମାଭି, ବରୁଣ ଚକ୍ରବର୍ତ୍ତୀ, ଉମେଶ ଯାଦବ/ରସିଖ୍‌ ସଲାମ ଦର୍‌।

Related Posts