ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ଦେଶ ବ୍ୟାପି ପ୍ରତିବାଦର ସ୍ବର ଉଠୁଥିବା ବେଳେ, ଏହାରି ମଧ୍ୟରେ ପୁଣି ଥରେ କେନ୍ଦ୍ର ସରକାରଂକ ଅଗ୍ନିପଥ’ ଯୋଜନାକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।
ସେ କହିଛନ୍ତି ଯଦି ଅଗ୍ନିବିର ମାନେ ପେନ୍ସନ୍ ପାଇବାକୁ ହକ୍ଦାର୍ ନୁହନ୍ତି, ମୁଁ ମୋ ପେନ୍ସନ୍ ଛାଡ଼ିଦେବାକୁ ପ୍ରସ୍ତୁତ ଅଛି ।
ସଶସ୍ତ୍ର ବାହିନୀ ପାଇଁ ଚୁକ୍ତିଭିତ୍ତିରେ ଯବାନ ଭର୍ତ୍ତି ନିମନ୍ତେ କେନ୍ଦ୍ର ସରକାରଙ୍କ ନୂତନ ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ସମାଲୋଚନା କରି ବିଜେପି ସାଂସଦ ବରୁଣ ଗାନ୍ଧୀ ଲେଖିଛନ୍ତି: ସ୍ବଳ୍ପ ସମୟ ପାଇଁ ଚାକିରି କରୁଥିବା ଅଗ୍ନିବୀରମାନେ ଯଦି ପେନ୍ସନ୍ ପାଇବାକୁ ହକ୍ଦାର୍ ନୁହନ୍ତି, ଲୋକ ପ୍ରତିନିଧିମାନଙ୍କ ପାଇଁ ଏ ସୁବିଧା ମିଳିଛି କ’ଣ ପାଇଁ? ଯଦି ଦେଶର ରକ୍ଷାକାରୀମାନେ ପେନ୍ସନ୍ ପାଇବାକୁ ହକ୍ଦାର୍ ନୁହନ୍ତି, ତେବେ ମୁଁ ମୋ ପେନ୍ସନ୍ ଛାଡ଼ି ଦେବାକୁ ପ୍ରସ୍ତୁତ। ଅଗ୍ନିବୀରମାନଙ୍କ ପେନ୍ସନ୍ ସୁନିଶ୍ଚିତ କରିବା ଲାଗି ଆମେ ବିଧାୟକ ଏବଂ ସାଂସଦମାନେ କ’ଣ ଆମ ପେନ୍ସନ୍ ଛାଡ଼ି ପାରିବା ନାହିଁ?
ଉଲ୍ଲେଖଯୋଗ୍ୟ, ସଶସ୍ତ୍ର ବାହିନୀରେ ଚାକିରି କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ତରୁଣମାନଙ୍କ ପାଇଁ ନୂତନ ସ୍ବଳ୍ପକାଳୀନ ସେନା ଭର୍ତ୍ତି ଯୋଜନା ଜୁନ୍ ୧୪ ତାରିଖରେ ଘୋଷଣା କରିବା ପରେ ଦେଶରେ ପ୍ରତିବାଦ ପ୍ରବଳ ହୋଇଥିଲା। କିନ୍ତୁ, ଏହି ଯୋଜନାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ଘୋଷଣା କରିଥିଲେ।
ସେହି ଅନୁସାରେ, ଆଜି ଭାରତୀୟ ବାୟୁସେନା ତା’ର ପ୍ରଥମ ‘ଅଗ୍ନିବୀର’ ବ୍ୟାଚ୍ ଚୟନ ପାଇଁ ପଞ୍ଜିକରଣ ଆରମ୍ଭ କରିଛି। ମାସେ ପରେ ଅର୍ଥାତ୍ ଜୁଲାଇ ୧୪ ତାରିଖ ଦିନ ଏଥିପାଇଁ ଅନ୍ଲାଇନ୍ ପରୀକ୍ଷା କରାଯିବ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଡିସେମ୍ବର ସୁଦ୍ଧା ‘ଏନ୍ରୋଲ୍’ କରାଯାଇ ଡିସେମ୍ବର ୩୦ରେ ତାଲିମ ଦିଆଯିବ ।
