ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା । ସେପଟେ ଲୋକସଭାରେ ଏନେଇ ବିତର୍କ ଚାଲିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଡିଏମ୍‌କେ ସାଂସଦ କାନିମୋଝି ବିଜେପି ସରକାରକୁ ଟାର୍ଗେଟ କରି ବଡ ବୟାନ ଦେଇଛନ୍ତି। ତେବେ ଲୋକସଭାରେ ବିତର୍କରେ ଭାଗ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ନିର୍ବାଚନୀ ଫାଇଦା ପାଇଁ ବିଜେପି ମହିଳାଙ୍କୁ ଢାଲ କରିଛି ବୋଲି କାନିମୋଝି କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ସରକାର ନିଶ୍ଚିତ ଯେ ସୀମା ନିର୍ଦ୍ଧାରଣ ବିଲ୍ ସଠିକ୍, ତେବେ ସେମାନେ କାହିଁକି ଏହି ବିଲ୍‌କୁ ତାମିଲନାଡୁ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି। ସେ କହିଛନ୍ତି ଯେ, ସରକାର କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନାହାନ୍ତି। ୨୦୨୧ରେ ସେ ଜନଗଣନା କଲେନାହିଁ। ଏବେ ପୁରୁଣା ଜନଗଣନା ସହିତ ଏହି ବିଲ୍‌ ଆଣିଛନ୍ତି। ତାହା ପୁଣି ପାଞ୍ଚଟି ରାଜ୍ୟରେ ନିର୍ବାଚନ ମଝିରେ। ଗତକାଲି ମହିଳା ସଂରକ୍ଷଣ ଆଇନ ୨୦୨୩ କୁ ସୂଚିତ କରିବାର ଆବଶ୍ୟକତା କ”ଣ ଥିଲା ବୋଲି କାନିମୋଝି ପ୍ରଶ୍ନ କରିଛନ୍ତି। ମହିଳା ସଂରକ୍ଷଣର ଆବରଣରେ ଏହି ବିଲ୍ ଭାରତର ସଂଘୀୟ ଢାଞ୍ଚାକୁ ବିପର୍ଯ୍ୟସ୍ତ କରୁଛି ବୋଲି ଡିଏମକେ ସାଂସଦ କହିଛନ୍ତି।