ବନ୍ୟା ଭୟ: ବୌଦ୍ଧ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀରେ ଏବେ ବନ୍ୟା ସ୍ଥିତି ଉତ୍ପନ ହୋଇଛି । ମହାନଦୀର ଜଳସ୍ତର ବିପଦ ସ୍ତର ଟପି ସାରିଲାଣି । ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ହରଭଙ୍ଗା ବ୍ଲକର ୫୫ ଟି ଗାଁ ପ୍ରଭାବିତ ହୋଇଛି । ଜଗନ୍ନାଥ ସଡକ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୌଦ୍ଧ-ହରଭଙ୍ଗା ଯାତାୟାତ ଠପ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇଛି । ମାରାଡ଼ା, ଖଣ୍ଡିଧଳପୁର ଓ ହରଭଙ୍ଗାରେ ବନ୍ୟାଜଳ ଗାଁକୁ ପଶିଛି ।

ଗତକାଲି ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ହରଭଙ୍ଗା ବ୍ଲକରେ ଧଳପୁର, କୁଡ଼ାସୀଙ୍ଗ ବନ୍ୟା ଅଞ୍ଚଳ ବୁଲି ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହିତ ଲୋକଙ୍କୁ ଆବଶ୍ୟକ ଅନୁଯାୟୀ ସ୍ଥାନାନ୍ତର ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଥିବା ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମିଳିତ ଭାବେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନେଇ ଜିଲ୍ଲା ସାର୍କିଟ ହାଉସରେ ବନ୍ୟା ନେଇ ଏକ ସମୀକ୍ଷା ବୈଠକ କରାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ତତ୍ପର ଅଛି ଏବଂ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା ସହିତ ସମସ୍ତ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Related Posts