ଗତ ପାଞ୍ଚ ବର୍ଷ ଧରି ଅର୍ଥବ୍ୟବସ୍ଥା ଚିତ୍କାର କରି କହୁଛି – କମ୍ପାନୀ ନୁହେଁ ସରକାର ଲୋକଙ୍କ ହାତକୁ ଟଙ୍କା ଛାଡ଼ନ୍ତୁ

ରଙ୍ଗା ଚରଣ ପ୍ରଧାନ — (ମୁଖପାତ୍ର, ଆପ୍, ଓଡ଼ିଶା)

ଜିଡିପି କହିଲେ ଅନେକ ଲୋକ ବୁଝନ୍ତି ନାହିଁ । ପରିହାସ କରନ୍ତି । କୁହନ୍ତି ଖାଇବା ତେଲ ଦର ଆସି ୨୦୦ ଟଙ୍କାରେ ପହଞ୍ଚିଲାଣି । ଜିଡିପିରୁ ଆମକୁ କ’ଣ ମିଳିବ ? ବାସ୍ତବରେ କିନ୍ତୁ ଜିଡିପି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଓ ଅର୍ଥନୀତିର ପ୍ରାୟ ସମସ୍ତ ଦିଗକୁ ବିଚାରକୁ ନେଇ ଏହା ହିସାବ କରାଯାଏ । ଖାଇବା ତେଲର ଦରବୃଦ୍ଧି ବା ମୁଦ୍ରାସ୍ଫିତିକୁ ମଧ୍ୟ । ଆଉ ମଧ୍ୟ ଅର୍ଥବ୍ୟବସ୍ଥା ସମ୍ବନ୍ଧୀୟ ଆଉ ଯେତେ ସବୁ ତଥ୍ୟ ଅଛି ସେ ସବୁକୁ ଜିଡିପିର ଶତକଡା ହିସାବରେ କୁହାଗଲେ ପ୍ରକୃତ ସ୍ଥିତି ପରିଷ୍କାର ହୁଏ । ଜିଡିପି ହେଉଛି ଦେଶର ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ସମାହାର ।

୨୦୨୦-୨୧ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧) ଦେଶ ମୋଟ ଜିଡିପି ୧୩୫.୧୩ ଲକ୍ଷ କୋଟି ଟଙ୍କାରେ ପ‌ହଞ୍ଚିଛି । ଏହାର ପୁର୍ବ ବର୍ଷ ଦେଶର ମୋଟ ଜିଡିପି ୧୪୫.୬୯ ଲକ୍ଷ କୋଟି ଟଙ୍କା ଥିଲା । ତେଣୁ ପୁର୍ବ ଆର୍ଥିକ ବର୍ଷ ତୁଳନାରେ ଏହି ଜିଡିପି ୭.୩% କମିଲା । ଦେଶ ସ୍ବାଧୀନତା ହେବା ଠାରୁ କୈାଣସି ଗୋଟିଏ ବର୍ଷ ବି ଜିଡିପି ଏତେ ମାତ୍ରାରେ କମି ନଥିଲା ‌ । ଏହା ପୁର୍ବରୁ ଜିଡିପିର ସର୍ବାଧିକ ହ୍ରାସ ଦେଖା ଦେଇଥିଲା ୨୦୭୯-୮୦ ରେ ଯେଉଁ ବର୍ଷ ଏହା ୫.୨% କମିଥିଲା । ସେତେବେଳେ ଏହାର କାରଣ ଥୂଲା ଆନ୍ତର୍ଜାତିକ ତୈଳ ବଜାରରେ ଅତିରିକ୍ତ ଦରବୃଦ୍ଧି ଯେଉଁଥିପାଇଁ ତୈଳ ଆମଦାନୀ ଖର୍ଚ୍ଚ ବଢ଼ି ଯାଇଥିଲା ।

ଚଳିତ ବର୍ଷ ଜିଡିପିର ହ୍ରାସ ପାଇଁ ସ୍ବାଭାବିକ ଭାବେ ଅନେକେ କରୋନା ମହାମାରୀକୁ ଦାୟୀ କରିବେ । ଏହା ମଧ୍ୟ ସତ୍ୟ । ମାତ୍ର ୨୦୧୬-୧୭ ମସିହାରୁ ପ୍ରତି ବର୍ଷ ଜିଡିପି ଦର କମି ଆସୁଛି । ସେହି ବର୍ଷ ଜିଡିପି ବୃଦ୍ଧି ଦର ୮.୨% ଥିବା ବେଳେ ୨୦୧୯-୨୦ରେ ତାହା ୪.୨% ରେ ପହଞ୍ଚି ଯାଇଥିଲା । ଅର୍ଥାତ୍ ପ୍ରାୟ ଅଧା ହୋଇଯାଇଥିଲା । ମନେରଖନ୍ତୁ ୨୦୨୯-୨୦ ରେ ଶେଷ କେଇ ଦିନ ବ୍ୟତୀତ ସେହି ବର୍ଷ ଦେଶରେ କରୋନା ପ୍ରବେଶ କରି ନଥିଲା । ଜିଡିପି ଦର କ୍ରମାଗତ ଭାବରେ କମିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନୋଟବନ୍ଦି ଓ ଭ୍ରମାତ୍ମକ ଜିଏସଟି ବ୍ୟବସ୍ଥା ଭଳି କେତେକ ଅପରିଣାମଦର୍ଶୀ ନିଷ୍ପତ୍ତିକୁ ଦାୟୀ କରିବା ବ୍ୟତୀତ ଆଉ କାହାକୁ ଦାୟୀ କରାଯାଇ ପାରିବ ନାହିଁ । ଯଦି ମହିମାରୀ ଆସିବା ପୂର୍ବରୁ ଦେଶର ଆର୍ଥିକ ସ୍ଥିତି ଭଲ ଥାଆନ୍ତା ତେବେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ସହିବା ଓ ସେଥିରୁ ମୁକୁଳିବା ଆମକୁ ସହଜ ହୋଇଥାନ୍ତା ।

ପ୍ରଶ୍ନ ଉଠିବ ଏତେ ଦୀର୍ଘ ସମୟ ଧରି ଯଦି ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଚାଲିଛି ଏହାକୁ ରୋକିବା ପାଇଁ କ’ଣ କୈାଣସି ରାସ୍ତା ନଥିଲା ? ଯଦି ଥିଲା ତେବେ ଆମ ସରକାର ସେ ରାସ୍ତା ଆପଣାଇଲେ ନାହିଁ କାହିଁକି ? ରାସ୍ତା ତ ଥିଲା କିନ୍ତୁ ସରକାର ସେହି ରାସ୍ତାରେ କାହିଁକି ଗଲେ ନାହିଁ ତାହା ଏକ ଅଲଗା ବିଷୟ । ଏ ସ୍ଥିତିରୁ ମୁକୁଳିବା ପାଇଁ ଯେଉଁ ରାସ୍ତା ଅଛି ବୋଲି ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ଅର୍ଥନୀତିଜ୍ଞମାନେ ସରକାରଙ୍କୁ କହି ଆସୁଛନ୍ତି ତାହା ହେଲା, ସରକାର ନିଜ ଖର୍ଚ୍ଚ ବଢାନ୍ତୁ , ବହୁ ପରିମାଣରେ ବଢାନ୍ତୁ । ସେମାନଙ୍କ କହିବା କେତେଦୂର ଠିକ୍ , ତାହା ବର୍ତମାନ ଘୋଷଣା ହୋଇଥିବା ଜିଡିପି ରିପୋର୍ଟକୁ ବିଶ୍ଳେଷଣ କଲେ ଜଣା ପଡ଼ିବ ।

ଜିଡିପିକୁ ବିଶ୍ଳେଷଣ କରିବା ସମୟରେ ଯେଉଁ ମୁଖ୍ୟ ୪ ଟି ବିଷୟକୁ ଦେଖାଯାଏ ସେଗୁଡିକ ହେଲା :

୧. ସାଧାରଣ ଲୋକଙ୍କ ଦ୍ବାରା ଖର୍ଚ୍ଚ ।
୨ ପୁଞ୍ଜି ଲଗାଣ ।
୩. ନେଟ୍ ରପ୍ତାନି ବା ରପ୍ତାନି – ଆମଦାନୀ . ୪. ସରକାରଙ୍କ ଦ୍ବାରା ଖର୍ଚ୍ଚ ।

ସାଧାରଣ ଲୋକଙ୍କ ଦ୍ବାରା ଖର୍ଚ୍ଚ କହିଲେ ଆପଣ ଓ ଆମେ ଯାହା କିଣିଥାଉ ତାକୁ ବୁଝାଏ । ଏହା ଅର୍ଥବ୍ୟବସ୍ଥାର ପ୍ରାୟ ୫୦ରୁ ୫୫ ଭାଗ । ୨୦୨୦-୨୧ ରେ ଏହା ୯.୧% କମିଛି । ଗତ କେତେ ଦଶନ୍ଧିରେ ମଧ୍ୟ ଏହା ଏତେ ପରିମାଣରେ କମି ନଥିଲା । ଏହା ପୂର୍ବରୁ ଜିଡିପି ସର୍ବାଧିକ କମିଥିବା ୧୦୭୯-୮୦ରେ ମଧ୍ୟ ଏହି ଖର୍ଚ୍ଚ ମାତ୍ର ୨.୨% କମିଥିଲା । ଏହାର କାରଣ ସ୍ପଷ୍ଟ । କରୋନା ଯୋଗୁଁ ଅନେକ ଲୋକ କାମଧନ୍ଦା ହରାଇଥିଲେ । ଯେଉଁ ମାନଙ୍କ ପାଖରେ ବି କିଛି ଟଙ୍କା ଥିଲା ଆଗକୁ ନେଇ ଅନିଶ୍ଚିତତା ଯୋଗୁଁ ସେମାନେ ଖର୍ଚ୍ଚ କଲେ ନାହିଁ । ଏମିତି ବି ଲକଡାଉନ୍ ଯୋଗୁଁ ଦୋକାନ ବଜାର , ସପିଂମଲ୍ ଆଦି ବର୍ଷର ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ଥିଲା । ଏତିକି ବେଳକୁ ଯଦି ଲୋକଙ୍କ ପାଖରେ ଯଥେଷ୍ଟ ଟଙ୍କା ଥାଆନ୍ତା ତେବେ ସେମାନେ ଅଧିକ ଖର୍ଚ୍ଚ କରି ଥାଆନ୍ତେ ।‌ ତେଣୁ ସାଧାରଣ ଲୋକଙ୍କ ଖର୍ଚ୍ଚ କମିବା ଜିଡିପିକୁ ତଳକୁ ଟାଣିବାକୁ ଲାଗିଲା ।

ଏହି ପରିସ୍ଥିତିରେ ଯଦି ବିଭିନ୍ନ ଶିଳ୍ପପତି ଓ କମ୍ପାନୀମାନେ ନିଜର କାରୋବାର ବିସ୍ତାର କରିଥାନ୍ତେ କିମ୍ବା ନୂଆ ଶିଳ୍ପ କାରଖାନା ସ୍ଥାପନ ପାଇଁ ପୁଞ୍ଜି ଲଗାଣ କରିଥାନ୍ତେ ତେବେ ତାହା ଜିଡିପି ବୃଦ୍ଧି ହେବାରେ ସହାୟକ ହୋଇଥାନ୍ତା । କାରଣ ତାହା ହୋଇଥିଲେ ଉତ୍ପାଦନ ବଢିଥାନ୍ତା ଓ ଉତ୍ପାଦନ କରିବା ପାଇଁ ଅଧିକ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ଫଳରେ ସେହି ଲୋକମାନଙ୍କ ଆୟ ବଢିବା ଦ୍ବାରା ସେମାନେ ଅଧିକ ଖର୍ଚ୍ଚ କରିଥାନ୍ତେ ବା ଜିନିଷପତ୍ରର ଚାହିଦା ବଢିବା ଯୋଗୁଁ କାରଖାନା ଓ ଶିଳ୍ପମାନେ ଅଧିକ ଉତ୍ପାଦନ କରିଥାନ୍ତେ ‌। କିନ୍ତୁ ସେପରି ହେଲା ନାହିଁ । ଏହି ପରିସ୍ଥିତିକୁ ଆର୍ଥିକ ମାନ୍ଦାବସ୍ଥା କୁହାଯାଏ , ଯାହା ଗତ ୪/୫ ବର୍ଷ ହେଲା ଦେଶରେ ଲାଗି ରହିଛି ‌ । ଲୋକଙ୍କ ପାଖରେ ଜିନିଷ ପ୍ରତି ଚାହିଦା ଓ କ୍ରୟଶକ୍ତି ନାହିଁ ବୋଲି କାରଖାନା ମାଲିକମାନେ ଅଧିକ ଉତ୍ପାଦନ କରି ଜିନିଷ ପକାଇ ରଖିବାକୁ ଚାହୁଁ ନାହାନ୍ତି । ଅନ୍ୟ ପକ୍ଷରେ ଉତ୍ପାଦନ ବଢୁନାହିଁ ବୋଲି ଲୋକଙ୍କ ପାଖରେ ରୋଜଗାର ନାହିଁ, ଆୟ ନାହିଁ ଓ ସେମାନଙ୍କର କ୍ରୟଶକ୍ତି ନାହିଁ । ଗତ ୪/୫ ବର୍ଷ ହେଲା ଶିଳ୍ପ କାରଖାନାମାନେ ସେମାନଙ୍କ ଉତ୍ପାଦନ କ୍ଷମତାର ମାତ୍ର ୬୦ରୁ ୬୫ ଭାଗ ଉପଯୋଗ କରୁଛନ୍ତି । ଏପରି ସ୍ଥଳେ ଗତ ବର୍ଷ ପୁଞ୍ଜି ଲଗାଣ ପୂର୍ବ ବର୍ଷ ଅପେକ୍ଷା ୧୦.୮% କମିଛି ।

ତେଣୁ ଯେତେବେଳେ ସାଧାରଣ ଲୋକଙ୍କ ଖର୍ଚ୍ଚ କମିଛି ଓ କାରଖାନା ଓ ଶିଳ୍ପମାନଙ୍କର ସାନି ପୁଞ୍ଜି ଲଗାଣ କମିଛି ସେତେବେଳେ ସରକାର ଆଗେଇ ଆସି ଅଧିକ ଖର୍ଚ୍ଚ କରିବା କଥା । ଏହା ହେଉଛି ଶେଷ ରାସ୍ତା । ସରକାର ଯଦି ଭିତ୍ତିଭୂମିରେ ଅଧିକ ଖର୍ଚ୍ଚ କରନ୍ତେ ବା ହସପିଟାଲ୍, ପୋଲ, ସଡ଼କ ଓ ଏମିତି ବଡ଼ ବଡ଼ ଭିତ୍ତିଭୁମିରେ ଅଧିକ ଖର୍ଚ୍ଚ କରନ୍ତେ ତେବେ ଅର୍ଥବ୍ୟବସ୍ଥା ଚଳଚଞ୍ଚଳ ହୁଅନ୍ତା । ଲୁହା, ରଙ୍ଗ, ସିମେଣ୍ଟ ଆଦି ଜିନିଷ ଅଧିକ ଆବଶ୍ୟକ ହୁଅନ୍ତା ଓ ତଦ୍ୱାରା ଏସବୁ ଉତ୍ପାଦନ କରୁଥିବା ଘରୋଇ କମ୍ପିନୀମାନେ ଉତ୍ପାଦନ ବଢାଇଥାନ୍ତେ ଓ ଅଧିକ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ଫଳରେ ଲୋକଙ୍କର ଆୟ ବଢିଥାନ୍ତା ଓ ସେମାନେ ଅଧିକ ଖର୍ଚ୍ଚ କରିଥାନ୍ତେ । ପ୍ରକାରାନ୍ତରେ ଏହା ମଧ୍ୟ ଅଧିକ ଉତ୍ପାଦନ କରିବା ପାଇଁ କାରଖାନାମାନଙ୍କୁ ପ୍ରେରିତ କରିଥାନ୍ତା । ବନ୍ଦ ଥିବା ଚକ୍ରକୁ କେହି ନା କେହି ତ ଘୁରାଇବା ଆରମ୍ଭ କରିବ ? ସେହି କାମ ସରକାର କରିଥାନ୍ତେ । ଅବଶ୍ୟ ସରକାର ଖର୍ଚ୍ଚ ବଢାଇଛନ୍ତି । କିନ୍ତୁ ତାହା ଆଦୌ ଯଥେଷ୍ଟ ନୁହେଁ । ଗତ ବର୍ଷ ସରକାରଙ୍କର ଖର୍ଚ୍ଚ ମାତ୍ର ୨.୯% ବଢିବା ସ୍ଥଳେ ଏହାର ପୂର୍ବବର୍ଷ ତାହା ୭.୯% ବଢିଥିଲା ।

ଗତବର୍ଷ ମୋଟ ଖର୍ଚ୍ଚ , ସାଧାରଣ ଲୋକ ଓ ସରକାରୀ ଖର୍ଚ୍ଚ ମିଶାଇ, ୭୫.୬୧ ଲକ୍ଷ କୋଟି ଟଙ୍କା ହୋଇଥିଲା । ଏହା ୨୦୧୭-୧୮ର ଖର୍ଚ୍ଚ ଠାରୁ ମାତ୍ର ୩.୧% ଅଧିକ ଥିଲା । ଅର୍ଥାତ୍ ତିନି ବର୍ଷ ପୂର୍ବେ ଯାହା ଖର୍ଚ୍ଚ ହୋଇଥିଲା ଗତବର୍ଷ ତାହାର ପାଖାପାଖି ଖର୍ଚ୍ଚ ହୋଇଥିଲା । ତେଣୁ ମୋଟ ଖର୍ଚ୍ଚ ତିନି ବର୍ଷ ତଳକୁ ଚାଲିଗଲା । ଏହାର ଅର୍ଥ ମଧ୍ୟ ହେଉଛି ଯେ ଅତି କମରେ ତିନି ବର୍ଷ ହେଲା ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି ।ଏହା ବ୍ୟତୀତ ସରକାର ଆଉ ଯେଉଁ ଉପାୟରେ ଖର୍ଚ୍ଚ କରିଥାନ୍ତେ ତାହା ହେଉଛି କରୋନା ଦ୍ବାରା ପେଷି ହୋଇଥିବା ସାଧାରଣ ଗରିବ ଜନତାଙ୍କ ହାତକୁ ସହାୟତା ରାଶି ଦେଇଥାନ୍ତେ । ଏ ବାଟରେ ସରକାର ଜନଧନ ଆକାଉଣ୍ଟକୁ ମାସିକ ୫୦୦-୭୦୦ ଟଙ୍କା ପଠାଇବା, ଏଫସିଆଇ ଗୋଦାମରେ ବର୍ଷ ବର୍ଷ ଧରି ପଡିରହିଥିବା ଚାଉଳ ଗହମ ପଠାଇବା ଓ ସ୍ଵଳ୍ପ ଆୟକାରୀ ମନରେଗା ପ୍ରୋଗ୍ରାମରେ ଲୋକଙ୍କୁ ଅଧିକ କାମ ଯୋଗାଇବା ଛଡ଼ା ଆଉ କିଛି କରି ନାହାନ୍ତି ।‌ ଏହି ଯୋଜନାରେ ଯେତିକି କାମ ଯୋଗାଇଛନ୍ତି ତାହା ମଧ୍ୟ ଚାହିଦା ଠାରୁ ଅନେକ କମ୍ ।

ଅନ୍ୟ ପକ୍ଷରେ ପେଟ୍ରୋଲ, ରେଳବାଇ ଟିକେଟ୍ ଏବଂ ତମାମ ଜିନିଷ ଓ ସେବାର ଦାମ୍ ବଢ଼ିଛି । ଏହା ଦ୍ବାରା ଲୋକଙ୍କର କ୍ରୟ ଶକ୍ତି ଆହୁରି କମିଛି । ସେମାନେ ଆଗରୁ ଯେତିକି ଜିନିଷ ଓ ସେବା କିଣୁଥିଲେ ତାହା ଆଉ କିଣି ପାରୁନାହାନ୍ତି । ଏବେ ଜିଡିପିକୁ ଛାଡି ଅର୍ଥବ୍ୟବସ୍ଥାର ଅନ୍ୟ ଏକ ଦିଗ ଉପରେ ନଜର ପକାନ୍ତୁ ଯେଉଁଥିରୁ ଜଣାପଡିବ ସରକାର କେମିତି ଲୋକଙ୍କ ପାଖରେ ଟଙ୍କା ନ ପହୁଞ୍ଚାଇ ଅର୍ଥବ୍ୟବସ୍ଥାକୁ ଆହୁରି ନଷ୍ଟ କରିଛନ୍ତି ‌ । ନିକଟରେ ପ୍ରକାଶ ପାଇଛି ଗତବର୍ଷ ସରକାର କେତେ ଆୟକର ଆଦାୟ କରିଛନ୍ତି । ଦୁଇପ୍ରକାରର ଆୟକର ଥାଏ । ଗୋଟିଏ ହେଉଛି ବ୍ୟକ୍ତିଗତ ଆୟକର ଓ ଅନ୍ୟଟି ହେଉଛି କମ୍ପାନୀଗୁଡ଼ିକ ଦେଉଥିବା ଆୟକର ବା କରପୋରେଟ୍ ଟ୍ୟାକ୍ସ । ଗତବର୍ଷ ଏହି ଦୁଇଟି ଆୟକର ନିମ୍ନମତେ ଆଦାୟ ହୋଇଛି ।

ବ୍ୟକ୍ତିଗତ ଆୟକର ୪.୬୯ ଲକ୍ଷ କୋଟି ଟଙ୍କା
କର୍ପୋରେଟ ଟିକସ ୪.୫୭ ଲକ୍ଷ କୋଟି ଟଙ୍କା

ଅର୍ଥାତ୍ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ପାନୀଗୁଡ଼ିକ ୧୨ ହଜାର କୋଟି ଟଙ୍କା କମ୍ ଟିକସ ଦେଇଛନ୍ତି । ଗତ ୧୨ ବର୍ଷରେ ଏପରି ହେବା ପ୍ରଥମ ଓ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ସାଧାରଣତଃ ବ୍ୟକ୍ତିଗତ ଆୟକର ଅପେକ୍ଷା କମ୍ପାନୀଗୁଡ଼ିକ ଅଧିକ ଆୟକର ଦେଇଥାନ୍ତି ।

ଏକଥା ସତ ଯେ ଗତବର୍ଷ ଆୟକର ଆଦାୟ କମିବା ଏକ ସ୍ବାଭାବିକ ଘଟଣା ଥିଲା । ଏଥିପାଇଁ ମହାମାରୀ ଦାୟୀ । ଉଭୟ ବ୍ୟକ୍ତିଗତ ସ୍ତରରେ ଓ କମ୍ପାନୀଗୁଡ଼ିକର ଆୟ କମିଯିବାରୁ ଆୟକର ଆଦାୟ କମିଗଲା ।‌ କିନ୍ତୁ ଗତବର୍ଷ ପୂର୍ବ ବର୍ଷ ତୁଳନାରେ ବ୍ୟକ୍ତିଗତ ଆୟକର ଆଦାୟ ୨.୩% କମିଥିବା ବେଳେ କର୍ପୋରେଟ ଟିକସ ୧୭.୯% କମିଛି । କେହି ହୁଏତ କହିପାରେ ଯେ ଗତବର୍ଷ ମହାମାରୀ ଯୋଗୁଁ କମ୍ପାନୀଗୁଡ଼ିକର ଆୟ କମିଯାଇଛି ଯେଉଁଥିପାଇଁ ସେମାନେ କମ୍ ଆୟକର ଦେଇଛନ୍ତି । ଏହା ହୁଏତ ଆଂଶିକ ସତ୍ୟ ହୋଇପାରେ । ତେବେ ଏହି ବିଡମ୍ବନାକୁ ସ୍ପଷ୍ଟ କରିବା ପାଇଁ ଆହୁରି ଗୋଟିଏ ତଥ୍ୟ ବୁଝିବାକୁ ପଡିବ ।

ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଅନେକ ଅଛନ୍ତି, ଯେଉଁମାନେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ସେମାନଙ୍କ ଅଂଶଧନକାରୀମାନଙ୍କ ପାଇଁ ନିଜର ଆୟବ୍ୟୟ ହିସାବ ସାର୍ବଜନୀନ କରିବାକୁ ପଡେ । ସେମାନଙ୍କର ଏହି ହିସାବ ଆଧାରରେ ଇକୋନୋମିକ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଗତବର୍ଷ ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକର ଟିକସବାଦ୍ ଲାଭ ଜିଡିପିର ଶତକଡା ଭାବେ ୨.୬% ବୃଦ୍ଧି ହୋଇଛି । ୨୦୧୪-୧୫ ବର୍ଷ ପରଠାରୁ ଏହି ବୃଦ୍ଧି ହେଉଛି ସର୍ବାଧିକ । ୨୦୧୪-୧୫ରେ ସେମାନଙ୍କ ଲାଭ ଜିଡିପିର ଶତକଡା ହିସାବରେ ୩.୧% ବୃଦ୍ଧି ହୋଇଥିଲା ।

ତେଣୁ ସ୍ଵାଭାବିକ ପ୍ରଶ୍ନ ଉଠୁଛି, ଏପରି କେମିତି ହେଲା ? ଯଦି ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକର ଲାଭରେ ଏତେ ବୃଦ୍ଧି ହୋଇଛି ତାହେଲେ ସେମାନେ ଦେଇଥିବା ଆୟକର ବା କରପୋରେଟ୍ ଟ୍ୟାକ୍ସରେ ୧୭.୯% ହ୍ରାସ କେମିତି ଘଟିଲା ? ଟିକସ ତ ଲାଭକୁ ନେଇ ହିସାବ କରାଯାଏ ନା ? ଏହାର କାରଣ ବୁଝିବାକୁ ଟିକିଏ ଅପେକ୍ଷା କରନ୍ତୁ । ତାହା ପୁର୍ବରୁ ଘଟଣାଟିକୁ ଆହୁରି ପାଖରୁ ଦେଖିବାର ଆବଶ୍ୟକତା ରହିଛି ।

ଏଥର ସେମାନେ କରିଥିବା ଲାଭକୁ ଜିଡିପିର ଶତକଡା ଭାବେ ନ ଦେଖି ସେମାନଙ୍କର ପ୍ରକୃତ ଲାଭକୁ ଲକ୍ଷ କରନ୍ତୁ । ଲାଭରୁ ଆୟକର ଦେଇସାରିବା ପରେ ଆଉ ଯେତିକି ଲାଭ ରୁହେ, ଅର୍ଥାତ୍ ଟିକସବାଦ୍ ଲାଭରେ ଗତବର୍ଷ ଏହି ପଞ୍ଜିକୃତ କମ୍ପାନୀଗୁଡ଼ିକ ୯.୧% ଲମ୍ପ ଦେଇଛନ୍ତି ‌। ଏହା ୨୦୦୭-୦୮ ପରଠାରୁ ସବୁଠାରୁ ଲମ୍ବା ଲମ୍ପ । ୨୦୦୭-୦୮ରେ ଏହି ଲମ୍ପ ୧୦.୨% ଥିଲା ।

ତେଣୁ ଏପରି ହେବାର କାରଣ କ’ଣ ? ବ୍ୟକ୍ତିଗତ ଆୟକର ଅପେକ୍ଷା କମ୍ପାନୀଗୁଡ଼ିକ ଦେଇଥିବା ଆୟକର କମିଲା କାହିଁକି ?

ଆପଣଙ୍କର ମନେ ଥାଇପାରେ ଯେ ୨୦୧୯ ସେପ୍ଟେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରପୋରେଟ୍ ଟିକସ ଦର ବହୁ ମାତ୍ରାରେ କମାଇଥିଲେ ‌। ସେତେବେଳେ ସେ କମ୍ପାନୀଗୁଡ଼ିକ ଦେବାକୁ ଥିବା ସର୍ବନିମ୍ନ ଆୟକର ୩୦%ରୁ କମାଇ ୨୨%କରିଥିଲେ । ଆଉ ମଧ୍ୟ ସେ ଉତ୍ପାଦନକାରୀ ନୂଆ କମ୍ପାନୀଗୁଡ଼ିକ ପାଇଁ ଏହା ୨୫%ରୁ କମାଇ ୧୫% କରିଥିଲେ ‌। ତେଣୁ ଲାଭରେ ବୃଦ୍ଧି ସତ୍ତ୍ୱେ ଆୟକର କମିଯିବାର ଏହା ଏକ ବଡ଼ କାରଣ ‌ ।

ମାନ୍ଦାବସ୍ଥା ଦୁର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ‌। ସରକାର ଭାବିଥିଲେ ଯେ ଏହି ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଟିକସରେ ରିହାତି ଦେଲେ ସେମାନେ ବଞ୍ଚୁଥିବା ଟଙ୍କାକୁ ସାନି ପୁଞ୍ଜି ଲଗାଣରେ ଲଗାଇବେ କିମ୍ବା କମ୍ ଟିକସ ଦରରେ ଆକର୍ଷିତ ହୋଇ ବ୍ୟବସାୟ ଓ ଉତ୍ପାଦନ ବିସ୍ତାର କରିବାପାଇଁ ଅଧିକ ପୁଞ୍ଜି ଲଗାଇବେ । କିନ୍ତୁ ତାହା ହେଲା ନାହିଁ । ଜିଡିପିର ଅନୁପାତରେ ପୁଞ୍ଜିଲଗାଣ ଦର ୨୦୨୦-୨୧ରେ ପୁର୍ବ ବର୍ଷ ତୁଳନାରେ ୨୭.୧% କମିଛି ‌। ୨୦୦୭-୦୮ ଠାରୁ ଏହି ଦର କମି କମି ଚାଲିଛି । ସେତେବେଳେ ଏହା ୩୫.୮% ଥିଲା । ତାହେଲେ ଟିକସ ଦର କମିବା ସତ୍ତ୍ୱେ ଏହି କମ୍ପାନୀଗୁଡ଼ିକ ପୁଞ୍ଜି ଲଗାଣ କାହିଁକି ବୃଦ୍ଧି କଲେ ନାହିଁ ? ଏହାର ସରଳ ଉତ୍ତର ମୁଁ ଆଗରୁ ଦେଇ ସାରିଛି । ଯଦି ଲୋକଙ୍କର କ୍ରୟଶକ୍ତି କମିଛି, କମ୍ପାନୀଗୁଡ଼ିକ ଉତ୍ପାଦନ କରୁଥିବା ଜିନିଷର ବଜାରରେ ଚାହିଦା ନାହିଁ ଯେଉଁଥିପାଇଁ ସେମାନେ ସେମାନଙ୍କର ଉତ୍ପାଦନ କ୍ଷମତାର ୬୦-୬୫%ରେ କାରଖାନା ଚଳାଉଛନ୍ତି, ସେମାନେ ସାନି ପୁଞ୍ଜି ଲଗାଣ କରି ଆହୁରି ଉତ୍ପାଦନ କ୍ଷମତା ବଢାଇ ଥାନ୍ତେ କାହିଁକି ? ଟିକସରୁ ବଞ୍ଚିଥିବା ଟଙ୍କାରେ ସେମାନେ ଋଣ ପରିଶୋଧ କଲେ କିମ୍ବା ନିଜ ପାଇଁ ଅନ୍ୟ ଖର୍ଚ୍ଚ କଲେ ।

ବରଂ ସରକାର ଯଦି କମ୍ପାନୀଗୁଡ଼ିକୁ ଟିକସ ରିହାତି ନଦେଇ ବ୍ୟକ୍ତିଗତ ଟିକସ କମାଇ ଥାନ୍ତେ ତେବେ ଅନେକ ଲୋକଙ୍କ ପାଖରେ ଟଙ୍କା ବଞ୍ଚିଥାନ୍ତା ଓ ସେମାନେ ତାହା କିଣିବାରେ ଖର୍ଚ୍ଚ କରିଥାନ୍ତେ । ଏହା ଅର୍ଥବ୍ୟବସ୍ଥାକୁ ଚଳଚଞ୍ଚଳ କରିବା ପାଇଁ ଜରୁରୀ ଥିଲା ।‌ ଅବଶ୍ୟ ପଞ୍ଜିକୃତ କମ୍ପାନୀ ବ୍ୟତୀତ ଅନ୍ୟ ଅପେକ୍ଷାକୃତ ଛୋଟ କମ୍ପାନୀ ମଧ୍ୟ ଥାଆନ୍ତି ଯେଉଁମାନେ ଷ୍ଟକ୍ ଏକ୍ସଚେଞ୍ଜରେ ନିଜକୁ ପଞ୍ଜିକୃତ କରି ନାହାନ୍ତି । ଏଗୁଡ଼ିକ ନିଜର ଜିନିଷ ବିକିବା ପାଇଁ ମୁଖ୍ୟତଃ ବଡ଼ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । ଗତବର୍ଷ ବଡ଼ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ଘଟିଥିବାର କାରଣ ସେମାନଙ୍କର ଆୟ କିମ୍ବା ବିକ୍ରି ବୃଦ୍ଧି ନୁହେଁ ‌। ସେମାନେ ଖର୍ଚ୍ଚ କମାଇ ଲାଭ ବଢାଇଛନ୍ତି ‌‌। ଖର୍ଚ୍ଚ କମାଇବା ପାଇଁ ସେମାନେ ଶ୍ରମିକ ଛଟେଇ କରିଛନ୍ତି । ସେମାନଙ୍କୁ କଞ୍ଚାମାଲ ଯୋଗାଉଥିବା ଛୋଟ କମ୍ପାନୀଗୁଡ଼ିକ ସହ ମୁଲଚାଲ କରି ସେମାନଙ୍କ ଠାରୁ କମ୍ ଦରରେ କଞ୍ଚାମାଲ କିଣିଛନ୍ତି । ଏଣେ ଛୋଟ କମ୍ପାନୀଗୁଡ଼ିକ କମ୍ ଦରରେ ଜିନିଷ ବିକ୍ରି ପାଇଁ ବାଧ୍ୟ ହେବାରୁ, ବ୍ୟବସାୟରେ ତିଷ୍ଠି ରହିବା ପାଇଁ, ସେମାନେ ମଧ୍ୟ ସେମାନଙ୍କର ଅନେକ ଶ୍ରମିକଙ୍କୁ ଛଟେଇ କରିଛନ୍ତି ଓ ସେମାନଙ୍କୁ କଞ୍ଚାମାଲ ଯୋଗାଉଥିବା ମଧ୍ୟମ ଓ କ୍ଷୁଦ୍ର ଶିଳ୍ପଠାରୁ କମ୍ ଦରରେ ଜିନିଷ କିଣିଛନ୍ତି ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୃଙ୍ଖଳାରେ ବଡ଼ କମ୍ପାନୀ ମାନେ ଲାଭ ବଢାଇଛନ୍ତି । କିନ୍ତୁ ସେମାନଙ୍କ ତଳେ ଥିବା ଅଣପଞ୍ଜିକୃତ ଛୋଟ କମ୍ପାନୀ, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ କେବଳ ତିଷ୍ଠି ରହିଛନ୍ତି । ଏହା ସହିତ ଅନେକ ଶ୍ରମିକ ରୋଜଗାର ହରାଇଛନ୍ତି । କହିବା ବାହୁଲ୍ୟ ଯେ ଏହା ଦ୍ବାରା ସାଧାରଣ ଲୋକଙ୍କର ପୁଣି ଆୟ କମିଛି ଓ ସେମାନଙ୍କର କ୍ରୟଶକ୍ତି ପୁଣି କମି ମାନ୍ଦାବସ୍ଥାକୁ ଆହୁରି ଉତ୍କଟ କରିଛି । ଶେଷରେ ପ୍ରଶ୍ନ ଉଠେ ଯେ ସରକାର ଲୋକଙ୍କ ହାତକୁ ସିଧା କେମିତି ଟଙ୍କା ପହଞ୍ଚିବ ସେ ବ୍ୟବସ୍ଥା କାହିଁକି କରୁ ନାହାନ୍ତି ? ଏହାର ଉତ୍ତର ରାଜନୈତିକ ହୋଇପାରେ ଏବଂ ତାହା ଏକ ଭିନ୍ନ ଚର୍ଚ୍ଚା ।

Related Posts