ଅହମ୍ମଦାବାଦ: ଗୁଜୁରାଟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଆହତ । ତ୍ରିରଙ୍ଗା ଯାତ୍ରା ସମୟରେ ବୁଲା ଗୋରୁଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ମନ୍ତ୍ରୀ । ନିତିନ ଆଜି ମେହସାନାର ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିବାବେଳେ ଆହତ ହୋଇଛନ୍ତି। ତାଙ୍କୁ ଭାଗ୍ୟଦୟ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଯାଇଥିଲା। କୁହାଯାଉଛି ଯେ ଏହି ଶୋଭାଯାତ୍ରା ସମୟରେ ବୁଲା ଗୋରୁମାନେ ହଠାତ ମାଡିଆସିଥିଲେ |
ଆଉ ନିତିନଙ୍କ ସମେତ ଅନ୍ୟମାନେ ପଡିଯାଇଥିଲେ | ନିତିନଙ୍କ ସମେତ ଅନ୍ୟ କେତେକ ଲୋକ ମଧ୍ୟ ଆହତ ହୋଇଛନ୍ତି।ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ନିତିନ ପଟେଲ କହିଛନ୍ତି ଯେ ଏକ ବୁଲା ଗାଈ ତାଙ୍କୁ ଆକ୍ରମଣ କରିଛି। ଏହି ସମୟରେ ତାଙ୍କ ସହିତ ଅନ୍ୟ ଚାରିରୁ ପାଞ୍ଚ ଜଣ ଲୋକ ଥିଲେ |
ଏଥି ସହିତ ସେ କହିଛନ୍ତି ଯେ ଡାକ୍ତର ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତ୍ରିରଙ୍ଗା ଯାତ୍ରାରେ ପ୍ରାୟ ୨୦୦୦ ଲୋକ ଉପସ୍ଥିତ ଥିଲେ | ଆଉ ଯାତ୍ରା ସମୟରେ ହଠାତ ଏକ ବୁଲା ଗାଈ ଦୌଡ଼ି ଆସିଥିଲା | ଏହି ଗାଈ ନିତିନଙ୍କ ସହ ଆଉ କିଛି ଲୋକଙ୍କୁ ଧକ୍କା ଦେଇ ଚାଲିଯାଇଥିଲା | ପରେ ନିତିନଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଏକ୍ସ-ରେ ଏବଂ ସିଟି ସ୍କାନ କରାଯାଇଥିଲା | ଆଉ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କ ବାମ ଗୋଡରେ ଆଘାତ ଲାଗିଛି ।
