କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଶ୍ରୀ ବେହେରା ତାଙ୍କ ଇସ୍ତଫାପତ୍ରଟିକୁ ତାଙ୍କ ‘X’ ହ୍ୟାଣ୍ଡେଲରେ ସେଆର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। କଂଗ୍ରେସ ଦଳ ମୋତେ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି।

ସୂଚନାଯୋଗ୍ୟ ଯେ, ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ। ୨୦୦୦ ଓ ୨୦୦୪ରେ ସେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।

ପରେ ଗଣେଶ୍ୱର ବେହେରାଙ୍କୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା। ହେଲେ ଗତ ଜାନୁଆରୀ ମାସରେ ତାଙ୍କୁ ଏହି ପଦରୁ ହଟାଯାଇ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆ ସେଲ୍ ଅଧ୍ୟକ୍ଷ କରାଯାଇଥିଲା।

Related Posts