![](https://www.satyapatha.com/wp-content/uploads/2024/10/IMG-20241005-WA0002.jpg)
ଭୁବନେଶ୍ୱର,୫/୧୦(ସତ୍ୟପାଠ ବ୍ୟୁରୋ): ଶେଷରେ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହୋଇଛି। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଛି। ସାଢେ଼ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ୱାସର ପ୍ରାଣ କେନ୍ଦ୍ର ମହାପ୍ରଭୁ ଜଗନ୍ନାଥଙ୍କ ଉଦେଶ୍ୟରେ ଲୋକେ ଦେଇଥିବା ଅର୍ପଣ ଚାଉଳକୁ କୁଇଣ୍ଟାଲ ପିଛା ୨୭ଶହ ୮୦ ଟଙ୍କାରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି। ଏହି ଅର୍ପଣ ଚାଉଳକୁ ନିମାପଡ଼ାର ଏକ ରାଇସ୍ ମିଲ୍ କିଣିଛି। ମୋଟ୍ ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
ସେ କହିଛନ୍ତି ଯେ, ମହାପ୍ରସାଦ ପ୍ରସ୍ତୁତ ଲାଗି ଯେଉଁ ଚାଉଳ ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ।
ତେବେ ଭକ୍ତ ମାନେ ଦେଇଥିବା ଏ ଚାଉଳ ନିଲାମ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନାଁରେ ଗାଁ ଗାଁ ରେ ଅର୍ପଣ ରଥ ବୁଲାଇ ଚାଉଳ ସଂଗ୍ରହ ଭକ୍ତଙ୍କ ଆସ୍ଥା ସହ ଖେଳ ନଥିଲା କି ? ଶ୍ରୀମନ୍ଦିରରେ ଏଭଳି ଚାଉଳ ଆଦାୟ କରି ମହାପ୍ରସାଦ କରିବା ନିୟମ ନଥିବା ଜାଣି ବି ତତ୍କାଳୀନ ସରକାର ଏଭଳି ଚାଉଳ ସଂଗ୍ରହ କାହିଁକି କରିଥିଲେ ? ସତେବେଳେ ଏତେ ପରିମାଣର ଚାଉଳ ସଂଗ୍ରହ ହେବ ବୋଲି ସରକାର ଆକଳନ କରିନଥିଲେ ନା ଜାଣିଶୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ରାସ୍ତାରେ ବୁଲାଇଥିଲେ ତତ୍କାଳୀନ ସରକାର |
ତେବେ ସେ ଯାହା ବି ହେଉ ନା କାହିଁକି ଏବେ ଅର୍ପଣ ଚାଉଳ ନିଲାମ ହେବା ପରେ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ନିଲାମରୁ ଆସିଥିବା ଅର୍ଥରେ ମହାପ୍ରସାଦ କରି ଭକ୍ତଙ୍କୁ ବାଣ୍ଟିବାକୁ ମଧ୍ୟ ଦାବି ଉଠିଛି |