ନୂଆଦିଲ୍ଲୀ: ୭୫ତମ ସ୍ବାଧୀନତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କୁ ଭେଟି । ଅଗଷ୍ଟ ୫ରୁ ୧୫ ତାରିଖ ଯାଏଁ ଦେଶର ସମସ୍ତ ଐତିହାସିକ ସ୍ଥଳୀରେ ମିଳିବ ମାଗଣା ଏଣ୍ଟ୍ରି । ଏହି ୧୦ ଦିନ ପର୍ଯ୍ୟଟକଙ୍କୁ ଟିକେଟ୍ କିଣିବାକୁ ପଡିବନି ।

୧୫ ତାରିଖ ଯାଏଁ ତାଜମହଲ ସମେତ ସବୁ ଐତିହ୍ୟ ଓ ସ୍ମାରକ ସ୍ଥଳଗୁଡିକରେ ମାଗଣାରେ ପ୍ରବେଶ କରିପାରିବେ ପର୍ଯ୍ୟଟକ । ବୁଧବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ଏଥର ସ୍ବାଧୀନତା ଦିବସ ତା’ର 75 ବର୍ଷ ପୂରଣ କରିବ । ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳରେ ୫ରୁ ଅଗଷ୍ଟ ୧୫ ଯାଏଁ ମାଗଣା ପ୍ରବେଶ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟ୍ବିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି ।