ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଫ୍ରାନ୍ସ ବିଦେଶ ମନ୍ତ୍ରୀ କ୍ୟାଥରିନ କୋଲୋନା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଦେଶର ସ୍ଥିତି ଉପରେ ଆଲୋଚନା କରିଛନ୍ତି । ୟୁକ୍ରେନ ଯୁଦ୍ଧ, ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ଉତ୍ତେଜନା, କରୋନା ମହାମାରୀ, ଆଫଗାନିସ୍ତାନ ପରି ପ୍ରସଙ୍ଗ ଉପରେ ଚର୍ଚ୍ଚ ହୋଇଛି।

ଅନ୍ୟପଟେ ଫ୍ରାନ୍ସ ବିଦେଶ ମନ୍ତ୍ରୀ କୋଲୋନା କହିଛନ୍ତି, ୟୁକ୍ରେନରେ ଯାହା କିଛି ଘଟୁଛି ତାହା କେବଳ ୟୁରୋପ ନୁହେଁ ବରଂ ସାରା ବିଶ୍ୱ ପାଇଁ ଗମ୍ଭୀର ମାମଲା । ଏହାସହ ସେ କହିଛନ୍ତି,’ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବ ଏବଂ ଆପଣଙ୍କୁ ମନେ ପକାଇବାକୁ ଚାହିଁଛି ଯେ, ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଏକାଠି କରାଇବ’।

ଏହି ଅବସରରେ ଭାରତର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ତ୍ରିପାକ୍ଷିକ ସହଯୋଗକୁ ଆଗକୁ ବଢାଇବା ଦିଗରେ କାମ କରିବା ଉପରେ ସହମତି ପ୍ରକାଶ କରିଛନ୍ତି । ସେହିପରି ଆଇଏସଏ ଏବେ ତିନି ଦେଶରେ ପରିଯୋଜନା କରିଛି, ଯାହା ଭାରତ ଏବଂ ଫ୍ରାନ୍ସ ଦ୍ୱାରା ଭୂଟାନ, ପାପୁଆ ନ୍ୟୁ ଗିନି ଏବଂ ସେନେଗଲରେ ଏକ ସାଙ୍ଗରେ କରାଯାଇଥିବା ପ୍ରଭାବକୁ ଦର୍ଶାଉଛି।

ଏହାପରେ ଫ୍ରାନ୍ସ ବିଦେଶ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ୱିପାକ୍ଷିକ ଏବଂ ପରସ୍ପରର ହିତ ସହ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ସହ ପିଏମ ମୋଦୀଙ୍କୁ ରାଷ୍ଟ୍ରପତି ମାକ୍ରନଙ୍କ ବନ୍ଧୁତା ଏବଂ ସହଯୋଗର ସନ୍ଦେଶ ଦେଇଛନ୍ତି ।