(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଗୌରୀଙ୍କ ଭଉଣୀ କବିତା ଲଙ୍କେଶଙ୍କ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ ଜାରି କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ମୋହନ ନାୟକଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ KCOCA ଅଧୀନରେ ଅରୋପ ରଦ୍ଦ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି । ବୁଧବାର ଦିନ ଜାମିନ ନାମଞ୍ଜୁର ହେବା ନେଇ ହାଇକୋର୍ଟଙ୍କ ରାୟ ଆସିବ । ଗୌରୀ ଲଙ୍କେଶଙ୍କ ଭଉଣୀ କବିତା କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଅଭିଯୁକ୍ତ ମୋହନ ନାୟକଙ୍କ ବିରୋଧରେ କର୍ଣ୍ଣାଟକ କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (କେକୋସିଏ) ଅନୁଯାୟୀ ହାଇକୋର୍ଟ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ 2017 ରେ ବେଙ୍ଗାଲୁରୁରେ ଗୌରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କବିତା ଲଙ୍କେଶଙ୍କ ପକ୍ଷ ରଖୁଥିବା ଓକିଲମାନେ କୋର୍ଟଙ୍କୁ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ମୋହନ ନାୟକ ଜାମିନ ପାଇବ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ନିର୍ଭର କରୁଛି । ଏହା ଉପରେ ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ କହିଛନ୍ତି ଯେ ଜାମିନ ଆବେଦନ ଉପରେ ନିଷ୍ପତ୍ତି ପ୍ରଭାବିତ ହେବ ନାହିଁ। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ରେ ବିଶିଷ୍ଟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଆବେଦନରେ ଦର୍ଶାଯାଇଛି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା 302 ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ କବିତା ଲଙ୍କେଶ ଅଭିଯୋଗ ଦାଖଲ କରିଥିଲେ। ଏହାର ତଦନ୍ତ ଭାର ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା ଏବଂ ତଦନ୍ତରେ ସ୍ପଷ୍ଟ ଭାବରେ ଦର୍ଶାଇଥିଲା ଯେ ଅଭିଯୁକ୍ତମାନେ ଏକ ସଂଗଠିତ ଅପରାଧ ସିଣ୍ଡିକେଟର ଅଂଶ ଅଟନ୍ତି। ଯେଉଁଥିରୁ KCOCA ର ବ୍ୟବସ୍ଥା ଆକର୍ଷିତ ହୋଇଥିଲା । ଏହି ତଦନ୍ତରୁ ଜଣାପଡିଛି ଯେ ମୋହନ ନାୟକ ଜଣେ ଅଭିଯୁକ୍ତ ଏବଂ KCOCA ର “ଅବୈଧ କାର୍ଯ୍ୟକଳାପ” ସହିତ ଜଡିତ ଥିଲେ। ଏହା ପରେ, KCOCA ର ଧାରା 24 (2) ଅନୁଯାୟୀ ମଞ୍ଜୁର ଦିଆଯାଇଥିଲା ଏବଂ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ମଧ୍ୟ ଦାଖଲ କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଛି ଯେ ଆମୋଲ କାଲେଙ୍କ ନେତୃତ୍ୱାଧୀନ ସିଣ୍ଡିକେଟ୍ ପୁଣେରେ ଡକ୍ଟର ନରେନ୍ଦ୍ର ଡାବୋଲକରଙ୍କ ହତ୍ୟା, ମହାରାଷ୍ଟ୍ରର କୋଲହାପୁରରେ ଗୋବିନ୍ଦା ପାନସାରେଙ୍କ ହତ୍ୟା ସମେତ ଡକ୍ଟର ଏମ ଏମ କଲବର୍ଗୀଙ୍କ ହତ୍ୟା ଏବଂ ଅନ୍ୟାନ୍ୟ ଅପରାଧ ଘଟାଇଛି। ପ୍ରକାଶ ଥାଉକି, କର୍ଣ୍ଣାଟକ ହାଇକୋର୍ଟଙ୍କ ଏପ୍ରିଲ 22, 2021 ରେ ହୋଇଥିବା ଆଦେଶ ଉଭୟ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ଆଦେଶ ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟକୁ ମଧ୍ୟ ଖାରଜ କରିଦେଇଥିଲା।
Related Posts
-
Copyright © SatyaPatha2021