
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦୁଝରରେ ସୁନାଖଣିର ସନ୍ଧାନ । ତେବେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହା ଗାଁଠାରୁ କିଛି ଦୂର ଜଙ୍ଗଲରେ ସୁନାଖଣିର ସନ୍ଧାନ ମିଳିବା ପରେ ଚାଲିଛି ନମୂନା ସଂଗ୍ରହ କାର୍ୟ୍ୟ । ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଧରେ ୧୫ଟି ଗାତ ଶହେ ମିଟର ମାଟି ଭିତର ଯାଏ ଖୋଲି ସେଥିରୁ ନମୂନା ସଂଗ୍ରହ କରାଯାଉଛି । ଗତ ୬ ମାସ ଧରି ଭାରତ ସରକାରଙ୍କ ଦ୍ବାରା ଚାଲିଥିବା ଏହି ନମୂନା ସଂଗ୍ରହ କାର୍ୟ୍ୟ ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଆଦିବାସୀବହୁଳ ଏହି ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
୧୯୮୮ ମସିହାରୁ ବାଂଶପାଳ ବ୍ଲକ ର ଜଳଡିହା ସମେତ ଗଜପୁର, କୁଶକଳା,କଲଣ୍ଡା ଆଦି ଅଞ୍ଚଳରେ ସୁନାଖଣି ପାଇଁ ନମୂନା ସଂଗ୍ରହ କାର୍ୟ୍ୟ ଆରମ୍ଭ ହୋଇ କିଛି ବର୍ଷ ହେବ ବନ୍ଦ ରହିଥିଲା । ହେଲେ, ଗତ ୬ ମାସ ଧରି ପୁନର୍ବାର ଜଳଡିହା ଠାରେ ନମୂନା ସଂଗ୍ରହ କାର୍ୟ୍ୟ ଭାରତ ସରକାରଙ୍କ ଦ୍ବାରା ତ୍ବରାନ୍ବିତ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ସୁନାଖଣି ହେଲେ, ଜଳଡିହା ଗାଁ ସହିତ ସମଗ୍ର ବାଂଶପାଳ ବ୍ଲକବାସୀଙ୍କର ଆର୍ଥିକ ଅଭ୍ୟୁଦୟ ଘଟିବ ବୋଲି କହିଛନ୍ତି ଅଞ୍ଚଳର ଲୋକେ ।ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।