ମନ୍ତ୍ରୀଶୂନ୍ୟ ହୋଇଗଲା କେନ୍ଦୁଝର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀଶୂନ୍ୟ ହୋଇଗଲା କେନ୍ଦୁଝର । କେନ୍ଦୁଝର ଭଳି ଏକ ଖଣି ଖାଦାନ ଭରା ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଏହାକୁ ନେଇ ଜିଲ୍ଲା ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଇତିମଧ୍ୟରେ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ସରକାରରେ ଜିଲ୍ଲାରୁ ସର୍ବାଧିକ ଥର ସେ ମନ୍ତ୍ରୀ ପଦ ହାତେଇ ଆସୁଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ବିଜୟୀ ହେବା ସତ୍ତ୍ବେ ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବଦଳରେ ତେଲକୋଇ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ମନ୍ତ୍ରୀ କରିଥିଲେ। ଶ୍ରୀ ନାୟକଙ୍କୁ ମନ୍ତ୍ରୀ କରାଯିବା ପରେ ସେ ହିଁ ଜିଲ୍ଲାର ସାଂଗଠନିକ କଥା ବୁଝିବେ ବୋଲି ବିଜେଡିରେ ଆଲୋଚନା ହୋଇଥିଲା। ହେଲେ ସେମିତି କିଛି ବି ହେଲାନାହିଁ।

ଏଣୁ ଅଦଳବଦଳ ବେଳେ ମନ୍ତ୍ରିମଣ୍ଡଳରୁ ପ୍ରେମାନନ୍ଦ ନାୟକ ବିଦା ହେବା ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଗତକାଲି ପ୍ରେମାନନ୍ଦ ନାୟକ ଇସ୍ତଫା ଦେବା ପରେ କେନ୍ଦୁଝର ଜିଲ୍ଲାରୁ ସ୍ବାଭାବିକ ଭାବେ ଅନ୍ୟ ଜଣେ କାହାକୁ ମନ୍ତ୍ରୀ କରାଯିବ ବୋଲି ପୁଣି ଆଲୋଚନା ହୋଇଥିଲା। ଏହି କ୍ରମରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଯାହାଫଳରେ କେନ୍ଦୁଝର ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଗଲା।

Related Posts