ଚୌଦ୍ଵାର ଜେଲରେ ରହିବ ଗୋପାଳ ଦାସ; କୋର୍ଟଙ୍କ ଅନୁମତି ପରେ ଝାରସୁଗୁଡ଼ାରୁ କରାଯାଉଛି ସ୍ଥାନାନ୍ତର

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ଚୌଦ୍ଵାର ଜେଲକୁ ସ୍ଥାନାନ୍ତର ହେବ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ଵାର ଜେଲକୁ ନିଆଯାଉଛି । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୋର୍ଟଙ୍କ ଅନୁମତି ମିଳିଛି । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ପାଇଁ ଜେଲ୍‌ ବିଭାଗ ଅପିଲ କରିଥିଲା । ତେବେ କଡ଼ା ସୁରକ୍ଷା ବଳରେ ଗୋପାଳ ଦାସକୁ ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତରିତ ହେଉଛି । ଅଭିଯୁକ୍ତ ଗୋପାଳ ଆଜି ପୁଣି ଥରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଥିବାବେଳେ ୧୬୪ ଧାରରେ ବୟାନ ରେକର୍ଡ ହୋଇଛି । କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ ନେଇ ଗୋପାଳ ଓକିଲ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ଆଜି ପୁଣି କୋର୍ଟରେ ହାଜର କରିଛି । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯାଇଛି । ପୂର୍ବରୁ ଦୁଇଥର ରିମାଣ୍ଡ ଏବଂ ପରେ ପୁଣି ୫ଦିନ ରିମାଣ୍ଡରେ ଗୋପାଳକୁ ରଖିଥିଲା କ୍ରାଇମବ୍ରାଞ୍ଚ । ଗତକାଲି(ମଙ୍ଗଳବାର) ତୃତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ୧୬୪ ବୟାନ ରେକର୍ଡ ପାଇଁ ଆବେଦନ କରାଯାଇଥିଲା । ତେବେ ଗୋପାଳର ଆଜି ବୟାନ ରେକର୍ଡ ପାଇଁ ଜେଏମଏଫସି କୋର୍ଟରେ ହାଜର କ୍ରାଇମବ୍ରାଞ୍ଚ କରିଛି । ଗତକାଲି ବିଚାର ବିଭାଗୀୟ ହାଜତକୁ ନେଲା ପରେ ଝାରସୁଗୁଡ଼ା ଉପ-କାରାଗାରରେ ରଖାଯାଇଥିଲା । ଆଜି ପୁଣି କଡ଼ାସୁରକ୍ଷାରେ ଉପ-କାରାଗାରରୁ ଆଣି ହାଜର କରାଯାଇଛି ।

ସୂଚନା ଥାଉକି, ନାର୍କୋ ଟେଷ୍ଟ୍‌ ଲାଗି ଗୋପାଳ ଗୁଜୁରାଟ ଯାଇଥିବା ବେଳେ ସେଠାରେ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଗୋପାଳର ରିମାଣ୍ଡର ଅବଧି ଶେଷ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ସ୍ବରେଜ ଟ୍ୟାଙ୍କରୁ ବାହାରିଥିବା କାଗଜ ଖଣ୍ଡଠାରୁ ଆରମ୍ଭ କରି ୧୩ ଦିନ ଧରି ୩ଟି ପର୍ଯ୍ୟାୟରେ ଚାଲିଥିବା ରିମାଣ୍ଡ ଅବଧି ଭିତରେ ମିଳିଥିବା ତଥ୍ୟ ଜମା କରିଥିଲେ । ଗୋପାଳର ନାର୍କୋଟିକ୍ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ ଭଳି ସମସ୍ତ ତଥ୍ୟ ଜେଏମ୍ଏଫସି କୋର୍ଟରେ ଜମା କରିବା ପରେ କୋର୍ଟ ଅଭିଯୁକ୍ତ ଗୋପାଳକୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ ।

ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତ ଗୋପାଳକୁ ଧରି ଗୁଜୁରାଟରେ ପହଞ୍ଚିଥିଲା । ଗାନ୍ଧୀନଗର ସ୍ଥିତ ଏଫଏସଏଲରେ ଗୋପାଳର ନାର୍କୋ ଟେଷ୍ଟ କରାଯିବା ପରେ ବିମାନ ଯୋଗେ ଗୁଜୁରାଟରୁ ଝାରସୁଗୁଡ଼ାରେ ପହଞ୍ଚିଥିଲା ଗୋପାଳ । ସେପଟେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲା ଜେଲ ବିଭାଗ । ଝାରସୁଗୁଡ଼ାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଜେଲ ବିଭାଗ ପ୍ରସ୍ତାବ ଦେଇଥିଲା । ଝାରସୁଗୁଡ଼ା ଜେଲ ଅଧୀକ୍ଷକଙ୍କ ଜରିଆରେ ଏନେଇ କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ ।

Related Posts