ଆଖି ଅସ୍ତ୍ରୋପଚାର କରି ଆମେରିକାରୁ ଫେରିଲେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ଆଖିରେ ଜଟିଳ ଅସ୍ତ୍ରୋପଚାର ହୋଇଛି । ଏନେଇ ସେ ଆମେରିକା ଗସ୍ତରେ ଥିବା ବେଳେ ଆଜି ସକାଳେ କୋଲ୍‌କାତାକୁ ଫେରିଛନ୍ତି। କୋଲ୍‌କାତା ବିମାନ ବନ୍ଦରରେ ଅବତରଣ ପରେ ସକାଳ ୮ଟା ବେଳେ ତାଙ୍କୁ ବିମାନ ବିମାନ ବନ୍ଦରରୁ ଘରକୁ ଅଣାଯାଇଥିଲା।

ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଚିକିତ୍ସା ନିମନ୍ତେ ଗତ ୨୫ ଦିନ ହେବ ଆମେରିକାରେ ଥିଲେ।

ଅକ୍ଟୋବର ୧୨ ତାରିଖ ଦିନ ଆମେରିକାର ଜନ୍‌ ହପ୍‌କିନ୍‌ସ୍‌ ହସ୍ପିଟାଲ୍‌ରେ ତାଙ୍କ ବାମ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୧୬ରୁ ଅଭିଷେକଙ୍କ ଚକ୍ଷୁରେ ସମସ୍ୟା ଦେଖା ଦେଇଥିଲା। ସେ ବର୍ଷ ଅକ୍ଟୋବର ମାସରେ ସେ ଏକ ଦଳୀୟ ସଭାରୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଦୁର୍ଗାପୁର ଏକ୍ସପ୍ରେସ୍‌ ୱେ’ର ସିଙ୍ଗୁର୍‌ ନିକଟରେ ଅଭିଷେକଙ୍କ କାର୍‌ ଗୋଟାଏ ଦୁଗ୍ଧ ଶଗଡ଼ ସହ ଧକ୍କା ଖାଇବାରୁ ତାଙ୍କ ବାମ ଆଖିଡୋଳା ଚତୁଃପାର୍ଶ୍ବର ହାଡ଼ ଭାଙ୍ଗି ଯାଇଥିଲା। ଭଙ୍ଗା ହାଡ଼କୁ ଯୋଡ଼ିବା ପାଇଁ ସେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ, କିନ୍ତୁ ତାହା ଭଲ ହେଲାନାହିଁ। ବରଂ ମୁଣ୍ଡ ବିନ୍ଧା ସହ ଦୃଷ୍ଟିଶକ୍ତି ସମସ୍ୟା ସୃଷ୍ଟି ହେଲା। ଏଥିପାଇଁ ସେ ହାଇଦ୍ରାବାଦ, ସିଙ୍ଗାପୁର ଓ ଦୁବାଇ ମଧ୍ୟ ଯାଇ ବିଫଳପ୍ରଯତ୍ନ ହୋଇଥିଲେ।

ତେଣୁ, ଜନ୍‌ ହପ୍‌କିନ୍‌ସ୍‌ ୱିଲ୍‌ମର୍‌ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ପରାମର୍ଶ କରିବା ଲାଗି ତାଙ୍କୁ ୨୦୨୦ ମାର୍ଚରେ କୁହାଯାଇଥିଲା। ଶେଷରେ ଅକ୍ଟୋବର ୫ ତାରିଖ ଦିନ ସେ ମେରିଲାଣ୍ଡ୍‌ରେ ପହଞ୍ଚି ସର୍ଜନ୍‌ ଡେଭିଡ୍‌ ଗାଇଟନ୍‌ ଓ ନିକୋଲାସ୍‌ ମେହନିଙ୍କୁ ଭେଟିବା ପରେ ତାଙ୍କ ସମସ୍ୟା ଦୂର ହୋଇଥିଲା। ପୁଣି ଏପ୍ରିଲ୍‌ ୨୦୨୩ରେ ଆସି ଆଖି ଦେଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Related Posts