ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗୁଡ୍ଡୁ ମୁସଲିମ !

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ରିପୋର୍ଟ ଅନୁସାରେ, ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ଓଡ଼ିଶାର ବରଗଡ଼ରେ ରହିଥିଲା ।ଏହାସହିତ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ଏକ ପୋଷାକ ଭର୍ତ୍ତି ବ୍ୟାଗ୍ ଛାଡ଼ି ଦେଇ ପଳାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ସେପଟେ ବରଗଡ଼ରେ ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାନକୁ ୟୁପି ଏସଟିଏଫ୍ ପଚରାଉଚରା କରିଛି । ଗୁଡ୍ଡୁ ମୁସଲିମ୍ ମୀରଟ, ଆଜମେର, ଝାନସୀ, ନାଶିକ, ପୁଣେ ଦେଇ ବରଗଡ଼ ଆସିଥିବା ସୂଚନା ପାଇଛି ୟୁପି ଏସଟିଏଫ୍ । ଏବେ ଗୁଡ୍ଡୁ ମୁସଲିମ୍ ଛତିଶଗଡ଼ରେ ଛପିଥିବା ଆଶଙ୍କା କରାଯାଉଛି ।

ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଗୁଡ୍ଡୁ ମୁସଲିମ୍ ପୁରୀ ଆସିଥିଲା ବୋଲି । ତେବେ ପୋଲିସ ଏ ଖବରକୁ ଖଣ୍ଡନ କରିଥିବା ବେଳେ ପରେ ୟୁପି ଏସଟିଏଫ ବରଗଡ଼ ଆସିବା ପରେ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିଥିବା ସ୍ପଷ୍ଟ ହୋଇଥିଲା ।

ଅତିକ ଅହମ୍ମଦ ଗ୍ୟାଙ୍ଗର ଫେରାର୍ ସଦସ୍ୟଙ୍କ ମଧ୍ୟରୁ ଗୁଡ୍ଡୁ ମୁସଲିମକୁ ସବୁଠୁ ଘାତକ କୁହାଯାଏ । ଗୁଡ୍ଡୁ ମୁସଲିମ୍ କାହାକୁ ମାରିବା ଲାଗି ବନ୍ଧୁକ ବଦଳରେ ବୋମାକୁ ବେଶୀ ପସନ୍ଦ କରେ । ବାଇକ୍ ପଛରେ ବସି ବୋମା ଫିଙ୍ଗି ଆକ୍ରମଣ କରିବାରେ ସେ ସିଦ୍ଧହସ୍ତ। ଏହିଭଳି ସେ ଅନେକ ହତ୍ୟାକାଣ୍ଡ ଘଟାଇଥିବା ସୂଚନା ରହିଛି।

Related Posts