ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋ ନାମକ ଜଣେ ମହିଳାଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମଙ୍ଗଳବାର ରାଜ୍ୟ ସରକାର ଗୋଧ୍ରା ସବ୍‌ଜେଲରୁ ଛାଡ଼ିଦେଇଛନ୍ତି। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ମାଫ ନୀତି) ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଇଥିବା କୁହାଯାଉଛି।

ଅନ୍ୟପକ୍ଷେ ବିରୋଧୀ କଂଗ୍ରେସ ଏହାକୁ ସମାଲୋଚନା କରିବା ସହ ମହିଳା ସଶକ୍ତୀକରଣ କଥା କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନ କରିବା ଉଚିତ ବୋଲି ପରାମର୍ଶ ଦେଇଛି। ଏହି ପ୍ରସଙ୍ଗକୁ ନେଇ ବିବାଦ ଜୋର୍‌ ଧରିଥିବାବେଳେ କେନ୍ଦ୍ର ସଫେଇ ଦେଇଛି ଯେ, ବଳାତ୍କାର ମାମଲାର ଦୋଷୀମାନଙ୍କୁ ଉକ୍ତ ନୀତି ଅଧୀନରେ ଖଲାସ କରାଯିବ ନାହିଁ ବୋଲି ପୂର୍ବରୁ ରାଜ୍ୟଗୁଡ଼ିକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ସୂଚନା ଅନୁସାରେ, ୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇଦେଇଥିଲେ। ଫଳରେ ଉକ୍ତ ଟ୍ରେନ୍‌ରେ ଅଯୋଧ୍ୟାରୁ ଫେରୁଥିବା କାରସେବକଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ନିଆଁ ସାରା ରାଜ୍ୟକୁ ବ୍ୟାପିଥିଲା। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଅନେକ ହଜାର ପରିବାର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲଙ୍କ ପରିବାର ସଦସ୍ୟ। ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ବିଲ୍‌କିସ୍‌ଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ଦାହୋଦ ଜିଲା ରନ୍ଧିକାପୁର ଗ୍ରାମ ନିକଟରେ ୩୦-୩୫ ଦଙ୍ଗାକାରୀ ଆକ୍ରମଣ କରିଥିଲେ। ଏଥିରେ ୪ ମହିଳା ଓ ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଲ୍‌କିସ୍‌ଙ୍କ ୨ ବର୍ଷୀୟା ଝିଅ ସଲେହା ମଧ୍ୟ ଥିଲେ। ଏପରି କି ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ଙ୍କୁ ଗଣବଳାତ୍କାର କରି ମୃତ୍ୟୁ ମୁଖକୁ ଠେଲିଦେଇଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଥିଲେ ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ ପାଇଁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ।