ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଏଠାରେ ପୁଣି ବିଜେପି ସରକାରକୁ ଫେରିବା ଏକରକମ ଜଣା ପଡିଗଲାଣି। ତେବେ ଗୁଜୁରାଟରେ ଚଳିତ ନିର୍ବାଚନରେ କିଛି ଆସନ ବହୁତ ଅଧିକ ଚର୍ଚ୍ଚାକୁ ଆସିଥିଲା ସେଥି ମଧ୍ୟରୁ ଜାମନଗର ଉତ୍ତର ଆସନ ଅନ୍ୟତମ। କାରଣ ଏହି ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା । ତେବେ ତାଙ୍କର ନିର୍ବାଚନ ଫଳକୁ ଦେଖିଲେ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ପ୍ରାୟ ୪୨ ହଜାରରୁ ଅଧିକ ଭୋଟରେ ଆଗୁଆ ରିବାବା ଅଛନ୍ତି । ରିବାବା ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଆମ୍ ଆଦମୀ ପାର୍ଟିର କରସନ କର୍ମୁର ଓ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଙ୍କୁ ପଛରେ ପକାଇ ଦେଇଛନ୍ତି ।
ଏପର୍ଯ୍ୟନ୍ତ ବିଜେପିରୁ ରିବାବାଙ୍କୁ ୭୨,୦୮୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆପର ପ୍ରାର୍ଥୀ ପାଇଛନ୍ତି ୨୯୬୭୮ ଖଣ୍ଡ ଭୋଟ।ସେହିଭଳି ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଏପର୍ଯ୍ୟନ୍ତ ୧୯,୬୭୮ ଖଣ୍ଡ ଭୋଟ ପାଇଛନ୍ତି।
ଜାମନଗର ଉତ୍ତର ବିଧାନସଭାରେ ପ୍ରତିଥର ବିଧାୟକ ବଦଳିଥାନ୍ତି । କେବେ କଂଗ୍ରେସ ତ କେବେ ବିଜେପି ପ୍ରାର୍ଥୀ ସେଠାରୁ ବିଜୟ ହୋଇଥାନ୍ତି । ହେଲେ ଏଥର କଂଗ୍ରେସ ଓ ବିଜେପି ସହ ଟକ୍କରକୁ ଆସିଥିଲା ଆମ୍ ଆଦମୀ ପାର୍ଟି । ସଦ୍ୟ ଫଳାଫଳ ମୁତାବକ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଟକ୍କର ଚାଲିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
