ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାଗରିକତା ନିୟମ ୨୦୦୯ ସଂଶୋଧନ କଲା ଗୃହ ମନ୍ତ୍ରଣାଳୟ । ଏହି ନୂଆ ସଂଶୋଧନ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସୁଥିବା ଆବେଦନକାରୀଙ୍କୁ ପାସପୋର୍ଟ ବାବଦୀୟ ସୂଚନା ଦେବା ସହ ଜଡ଼ିତ ନୂଆ ପ୍ରାବଧାନ ଲାଗୁ କରାଯାଇଛି । ଏହି ପରିବର୍ତ୍ତନ ନାଗରିକତା ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ କଡ଼ାକଡି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।ଭାରତର ନାଗରିକତା ପାଇଁ ଆବେଦନ କରୁଥିବା ଏହି ତିନି ଦେଶର ଆବେଦକଙ୍କୁ ଏବେ ନିଜ ପାସପୋର୍ଟ ସହ ଜଡ଼ିତ ତଥ୍ୟ ଦେବା ଜରୁରୀ ହେବ । ଏଥିରେ ପରିଚୟ, ଯାତ୍ରାର ଇତିହାସ ଓ ଅନ୍ୟ ଜରୁରୀ ଦସ୍ତାବିଜ ଏବଂ ଭେରିଫିକେସନ ସାମିଲ ହେବ ।
ଗୃହ ମନ୍ତ୍ରଣାଳୟ ଯୁକ୍ତି ଦେଇଛି ଯେ ଏହି ପରିବର୍ତ୍ତନ ଦ୍ୱାରା ନାଗରିକତା ପ୍ରକ୍ରିୟାରେ ତ୍ରୁଟି ଏବଂ ଜାଲିଆତିକୁ ରୋକା ଯାଇପାରିବ ।ଏହା ପୂର୍ବରୁ ନାଗରିକତା ନିୟମ ୨୦୦୯ରେ ଶେଷ ଥର ପାଇଁ ୨୦୨୪ ମାର୍ଚ୍ଚ ୧୧ରେ ସଂଶୋଧନ କରାଯାଇଥିଲା । ଏହାସହ ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ (ସିଏଏ) ଅଧିନିୟମ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଇ ସମୁଦାୟର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରାବଧାନ କରାଯାଇଥିଲା ।
