
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଦେଶର ସର୍ବୋଚ୍ଚ କୋର୍ଟ ବଡ଼ ଝଟକା ଦେଇଛନ୍ତି । ତେବେ ୩୪ ବର୍ଷ ପୁରୁଣା ରୋଡ ରେଜ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଲାବେଳେ ସିଦ୍ଧୁ ଏକ ହାତୀ ଉପରେ ଚଡ଼ା ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ନିଷ୍ପତ୍ତ ପରେ ପ୍ରଥମ ଥର ପାଇଁ ସେ ଟ୍ୱିଟ କରି କହିଛନ୍ତି ଯେ ନିୟମ ପାଳନ କରିବି ଅର୍ଥାତ ସୁପ୍ରିମକୋର୍ଟ ଦେଇଥିବା ଦଣ୍ଡ ମାନି ମୁଁ ଜେଲ ଯିବାକୁ ପ୍ରସ୍ତୁତ ବୋଲି ସିଦ୍ଧୁ କହିଛନ୍ତି ।
ଅନ୍ୟପଟେ ୧୯୮୮ରେ ସିଦ୍ଧୁ ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ । ଏହି ସମୟରେ ଗୁରୁନାମ ସିଂ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର ରାସ୍ତାରୁ ହଟାଇବାକୁ କହିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ । ଏଥିରେ ବୃଦ୍ଧ ଜଣକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ବୃଦ୍ଧଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା ବୋଲି ସିଦ୍ଧୁ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।